ଶୀତ ଦିନରେ ପର୍ଯ୍ୟଟନ ସ୍ଥଳରେ ରାତି ବିତାଇବାର ସୁଯୋଗ । ଭିତରକନିକା ଓ ସାତକୋଶିଆ ସମେତ ୫ଟି ସ୍ଥାନରେ ଆରମ୍ଭ ହେଲା ଇକୋ-ରିଟ୍ରିଟ୍ । ଜାଣନ୍ତୁ କେମିତି ହେଉଛି ବୁକିଂ?

153

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳିରେ ଆରମ୍ଭ ହୋଇଛି ଇକୋ ରିଟ୍ରେଟ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଆଜି ଠାରୁ ଅର୍ଥାତ୍ ଡିସେମ୍ବର ୯ ତାରିଖରୁ ଫେବୃଆରୀ ୨୮ ତାରିଖ ଯାଏଁ ସ୍ୱତନ୍ତ୍ର କଟେଜରେ ରହି ପକୃତିକ ସୌନ୍ଦଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ ।

ଆପଣଙ୍କ ପସନ୍ଦର ପର୍ଯ୍ୟଟନସ୍ଥଳୀରେ ରାତିଟିଏ କାଟିବାକୁ ଚାହୁଁଛନ୍ତି କି । ଶୀତୁଆ ସଂଧ୍ୟାରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ଚାହୁଁଛନ୍ତି କି । ପର୍ଯ୍ୟଟକଙ୍କ ଆଶା ପୂରଣ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ । ଅର୍କକ୍ଷେତ୍ର କୋଣାର୍କ, ବିଶ୍ୱର ସବୁଠାରୁ ବଡ ମାଟିବନ୍ଧ ହିରାକୁଦ, ଜାତୀୟ ଉଦ୍ୟାନ ଭିତରକନିକା, ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଓ ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କ ରହଣୀ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ଗତବର୍ଷ କୋଣାର୍କରେ ହୋଇଥିବା ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ସଫଳ ହେବା ପରେ ଏବର୍ଷ ଆଉ ୪ଟି ପର୍ଯ୍ୟଟନ ସ୍ଥଳୀକୁ ଏଥିରେ ସାମିଲ କରିଛନ୍ତି । ଶୀତଦିନେ ସମ୍ବଲପୁରର ହିରାକୁଦ ଡ୍ୟାମ ବୁଲିବା ସହ ବିଦେଶାଗତ ପକ୍ଷୀଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମେ । ସେହିପରି ଦାରିଙ୍ଗବାଡିର ଥଣ୍ଡା ଜଳବାୟୁ, ମନଲୋଭା ପରିବେଶ, ଘଂଚ ଜଙ୍ଗଲରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ପ୍ରକୃତିରାଣୀର କୋଳରେ ନିଜକୁ ହଜାଇ ଦେବା ସହ ଥଣ୍ଡାର ମଜା ନେବା ପାଇଁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଆସିଥାନ୍ତି ।

ସେହିଭଳି ସାତକୋଶିଆ ଗଣ୍ଡକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମହାନଦୀର ବାଲିପୁଟରେ ୨୫ଟି କଟେଜର ବ୍ୟବସ୍ଥା କରାଯାଇଛି । ଭିତରକନିକାରେ ହୋଇଥିବା ବିଳାଶପୂର୍ଣ୍ଣ କଟେଜରେ ରାତ୍ରି କାଟିବା ସହ ପେଣ୍ଠ ସମୁଦ୍ର ବେଳାଭୂମୀ, କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର, ଆଳି ବରାହଜୀଉ ମନ୍ଦିର, ହୁକଟେଲ ସମେତ ମହାକାଳପଡା ବତୀଘର ବୁଲି ପାରିବେ ପର୍ଯ୍ୟଟକ ।

ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଇକୋ-ରିଟ୍ରିଟ ପାଇଁ ଅନଲାଇନରେ ବୁକିଂ କରିହେବ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୁଦ୍ଦକାଳୀନ ଭିତିରେ ଏହି ସେବାର ଆରମ୍ଭ ହୋଇଛି ।