କୋଣାର୍କ ଭଳି ଭିତରକନିକା, ସାତକୋଶିଆରେ ହେଉଛି ଇକୋ-ରିଟ୍ରିଟ୍ । ଫେବ୍ରୁଆରୀ ୨୮ ଯାଏଁ ମିଳିବ ସେବା । ହୀରାକୁଦ ଓ ଦାରିଙ୍ଗବାଡିରେ ବି ମଜା ନେବେ ପର୍ଯ୍ୟଟକ

113

କନକ ବ୍ୟୁରୋ : ଆଜିଠାରୁ ଭିତରକନିକାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଇକୋ ରିଟ୍ରେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ଆଜି ଠାରୁ ୩ ମାସ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥାନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଇକୋ-ରିଟ୍ରିକ୍ କରାଯାଇଛି । କୋଣାର୍କ ପରେ ଭିତରକନିକା, ସାତକୋଶିଆ ଗଣ୍ଡ, ହୀରାକୁଦ ଓ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡରେ ହୋଇଛି ଇକୋ-ରିଟ୍ରିଟ୍ । କଟକ ଜିଲ୍ଲା ନରସିଂହପୁର କମଳାଡିହ ଗ୍ରାମ ପଂଚାୟତ ବାଲିପୁଟର ମହାନଦୀ କୂଳରେ ରହିଛି ଏହି ସାତକୋଶିଆ ଗଣ୍ଡ । ଏଠାରେ ଚଳିତବର୍ଷ ନୂତନ ଭାବେ ଇକୋ-ରିଟ୍ରିଟର ଶୁଭାରମ୍ଭ ହୋଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଚନ କରିଛନ୍ତି ।

ଗତବର୍ଷ କୋଣାର୍କ ଚନ୍ଦ୍ରଭାଗାରେ ଇକୋ-ରିଟ୍ରିଟ ଆରମ୍ଭ ହୋଇଥିଲା । ଚଳିତବର୍ଷ ଏହା କୋଣାର୍କ ସମେତ ସାତକୋଶିଆ, ହୀରାକୁଦ, ଭିତରକନିକା ଓ ଦାରିଙ୍ଗବାଡିରେ ମଧ୍ୟ ଆରମ୍ଭ ହୋଇଛି । ମହାନଦୀର ବାଲିପୁଟରେ ୨୫ଟି କଟେଜର ବ୍ୟବସ୍ଥା କରାଯାଇଛି । ଆଜି ଏହାର ଭର୍ଚୁଆଲ ଉଦଘାଟନ ହୋଇଛି । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଇକୋ-ରିଟ୍ରିଟ ପାଇଁ ଅନଲାଇନରେ ବୁକିଂ କରିହେବ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୁଦ୍ଦକାଳୀନ ଭିତିରେ ଏହି ସେବାର ଆରମ୍ଭ କରାଯାଇଛି ।