ପିକନିକ୍ ଋତୁରେ ଭିତରକନିକାରେ ଲାଗିଲାଣି ଭିଡ । ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଇକୋ- ରିଟ୍ରିଟ ।

213

କନକ ବ୍ୟୁରୋ: ଶୀତ ଆସିଲେ, ସବୁଠି ପିକନିକ ପିକନିକ ବାସେ । କ୍ୟାଲେଣ୍ଡରରେ ମାସମାନେ କଡଲେଉଟାଇ ଯେବେ ଡିସେମ୍ବରରେ ପହଞ୍ଚନ୍ତି ସେବେ ହଠାତ ଆସିଯାଏ ପିକନିକ୍ ଋତୁ । ଆଉ ମନ ପାହାଡର ଛାତି, ନଈକୂଳ, ସମୁଦ୍ରର ବେଳାଭୂମିକୁ ଧାଏଁ । ଏଇ ଯେମିତି ବୁଲାବୁଲି ପାଇଁ, ପିକନିକ କରିବାକୁ ହାତ ଠାରି ଡାକୁଛି ଭିତରକନିକା । ସୁନ୍ଦର ମନୋରମ ପରିବେଶ । କୁମ୍ଭୀରର ଆତଙ୍କିତ ମାଟି ଉପରେ ଆକାଶର ଛାତିକୁ ଉଡି ଯାଇ ଛବି ଆଙ୍କୁଥିବା ଚଢେଇମାନେ ଏଠି ପର୍ଯ୍ୟଟକଙ୍କୁ ସ୍ୱାଗତ କରନ୍ତି । ରଙ୍ଗ ବେରଙ୍ଗର ଚଢେଇ କୁହୁ ତାନରେ ଏଠି ଆମନ୍ତ୍ରଣର ସ୍ୱାଗତ ସଙ୍ଗୀତ ଗାଆନ୍ତି । ନାଲି କଙ୍କଡାମାନେ ଲୁଚକାଳି ଖେଳ ଶିଖାନ୍ତି, ହରିଣ ଏଠି ଗୋଟେ ଗୋଟେ ଝଲକ ଦେଇ ହୃଦୟ କିଣି ନିଅନ୍ତି । ଆଉ ଏ ସବୁ ଦେଖିବାକୁ ପର୍ଯ୍ୟଟକ ଭିତରକନିକା ଯିବାକୁ ପସନ୍ଦ କରନ୍ତି ।

ଭିତରକନିକା ବୁଲାବୁଲିକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିଛି ଇକୋରିଟ୍ରିଟ୍ । ପେଣ୍ଠ ବେଳାଭୂମିରେ ଏହି ଇକୋରିଟ୍ରିଟ୍ ଅନୁଷ୍ଠିତ ହୋଇଥିବା ବେଳେ ପର୍ଯ୍ୟଟକ ଦିନରେ ଭିତରକନିକାରେ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଆଉ ରାତିରେ ବଙ୍ଗୋପସାଗର ପର୍ଯ୍ୟଟକଙ୍କୁ ବିମୋହିତ କରୁଛି । ରାତିର ନୀରବତା ଭାଙ୍ଗୁଥିବା ସମୁଦ୍ରର ସୁସୁ ଗର୍ଜନ, ଶୂନଶାନ ପରିବେଶର ଜଙ୍ଗଲୀ ମହକ, ରାତିର ବହଳ ଅନ୍ଧାର, ଥଣ୍ଡାର ଥାର୍ଡଡିଗ୍ରୀ ସହି ବି ପର୍ଯ୍ୟଟକଟିଏ ଏ ସମସ୍ତ ଅନୁଭୂତି ସାଉଁଟେ ।

୨୦୨୦ରେ ଭିତରକନିକାର ନଳିତାପାଟିଆ ଠାରେ ଇକୋରିଟ୍ରିଟ୍ ଆରମ୍ଭ ହୋଇଥିବା ବେଳେ ଏହା ସମସ୍ତଙ୍କ ବେଶ୍ ପସନ୍ଦ ଆସିବା ପରେ ଏହାକୁ ଆହୁରି ସୁନ୍ଦର କରିବାକୁ ଏଥର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇକୋରିଟ୍ରିଟରେ ମୋଟ ୩୦ଟି କଟେଜ୍ ନିର୍ମା କରାଯାଇଥିବା ବେଳେ ଏହି କଟେଜ ଗୁଡିକର ଦାମ ୭୦୦୦ରୁ ୧୬ ହଜାର ଯାଏ ରହିଛି । ଡିଲକ୍ସ ଓ ପ୍ରିମିୟମ ଏହି ୨ଟି ଶ୍ରେଣୀର କଟେଜ ଥିବା ବେଳେ ଲୋକେ ତମ୍ବୁତଳେ ରାତି କାଟି ଗୋଟେ ନିଆରା ରୋମାଞ୍ଚ ପାଉଛନ୍ତି । ତେବେ ଏତେ ସବୁ କଥା ଦେଖିଲା ପରେ ଜାଣିଲା ପରେ ଆଉ ଡେରି କାହିଁକି । ଫଟାଫଟ୍ ପ୍ଲାନ କରନ୍ତୁ ଆଉ ଭିତରକନିକାରେ ଦିଘେରା ବୁଲି ଆସନ୍ତୁ ।