ତମ୍ବୁ ତଳେ ରାତି ବିତାଇବାର ସୁଯୋଗ । ଭିତରକନିକା ଅଭୟାରଣ୍ୟରେ ଇକୋ ରିଟ୍ରିଟ୍ ପାଇଁ ନୂଆ ବ୍ୟବସ୍ଥା, ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟର ୫ଟି ସ୍ଥାନରେ ଏଥର ଇକୋ ରିଟ୍ରିଟ୍ ।

295

କନକ ବ୍ୟୁରୋ : ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଚଳିତ ବର୍ଷ ଭିତରକନିକା ସମେତ ୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍ । ଏହି ଇକୋ ରିଟ୍ରିଟ ମାଧ୍ୟମରେ ଭିତରକନିକାର ଜୈବ ବିବିଧତା, ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ, ନୌବିହାର, ବିରଳ ହେନ୍ତାଳ ବଣର ଦୃଶ୍ୟ ଉପଭୋଗ କରିବେ ପର୍ଯ୍ୟଟକ ।

କୋଭିଡ୍ କଟକଣା ମଧ୍ୟରେ ଭିତରକନିକାର ନଳିତାପାଟିଆ ଠାରେ ଆରମ୍ଭ ହେବ ଇକୋ ରିଟ୍ରିଟ୍ । ଡିସେମ୍ବର ୮ରୁ ଫେବୃୟାରୀ ୨୮ ତାରିଖ ଯାଏଁ ଇକୋ ରିଟ୍ରିଟରେ ଭାସମାନ ରେସ୍ତୋରାଁରେ ଜଳପାନ ଓ ମଧ୍ୟାହ୍ନ ଭୋଜନର ଅବସର ପାଇବେ ପର୍ଯ୍ୟଟକ । ଇକୋ ରିଟ୍ରିଟ୍ ସ୍ଥଳରେ ୨୦ଟି ବିଳାସପୂର୍ଣ୍ଣ ଟେଣ୍ଟ ନିର୍ମାଣ ହୋଇଛି । ଇକୋ ରିଟ୍ରିଟରେ ରହିବା ବେଳେ ପର୍ଯ୍ୟଟକମାନେ କ୍ରୁଜ ଓ ଡଙ୍ଗାରେ ବୁଲିବା ସହ ଦିନରେ ଭିତରକନିକା, ଡାଙ୍ଗମାଳ, ମା’ ପଂଚୁବରାହୀ ମନ୍ଦିର, ପେଣ୍ଠ ସମୁଦ୍ର କୂଳ, ଚାନ୍ଦବାଲିର କସ୍ତୁରୀକଣ, କନିକା ରାଜବାଟି, ଆଳି ରାଜବାଟି, ଆଳିର ବରାହୀ ମନ୍ଦିର, ହୁକିଟୋଲା, ବତୀଘର ଆଦି ବୁଲି ଦେଖିପାରିବେ ।

ଏହି କାର୍ଯ୍ୟକ୍ରମକୁ ଇକୋ ଫ୍ରେଣ୍ଡଲି କରିବା ପାଇଁ ଇକୋ ରିଟ୍ରିଟ୍ ପରିସରରେ ପ୍ଲାଷ୍ଟିକ ବୋତଲ ଓ ପଲିଥିନ ବାରଣ କରାଯାଇଛି । ଗତବର୍ଷ କୋଣାର୍କ ମେରାଇନ ଡ୍ରାଇଭ ହୋଇଥିବା ଇକୋ ରିଟ୍ରିଟ୍ ସଫଳ ହେବା ପରେ ଏବର୍ଷ କୋଣାର୍କ ସହ ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଓ ସାତକୋଶିଆରେ ଇକୋ ରିଟ୍ରିଟ୍ ଅନୁଷ୍ଠିତ ହେଉଛି । ରାଜନଗର ଅଂଚଳର ଭିତରକନିକା ସଂଲଗ୍ନରେ ପ୍ରଥମଥର ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଭିତରକନିକା ଜାତୀୟ ଉଦ୍ୟାନ ପ୍ରତି ପର୍ଯ୍ୟଟକ ଅଧିକ ଆକର୍ଷିତ ହେବା ସମ୍ଭାବନା ରହିଛି । ଏହାସହ ସ୍ଥାନୀୟ ଅଂଚଳର ଆର୍ôଥକ ଅଭିବୃଦ୍ଧି ଘଟିବ ।

ଇକୋ ରିଟ୍ରିଟରେ ରହିବା ବେଳେ ପର୍ଯ୍ୟଟକମାନେ କିଭଳି ଭିତରକନିକା ବିଷୟରେ ଅଧିକ ଜାଣିବେ, ଭିତରକନିକାର ନୈସର୍ଗିକ ଶୋଭାରାଜିକୁ ମନଭରି ଉପଭୋଗ କରିବେ, ସେନେଇ ରାଜନଗର ବନବିଭାଗ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି ।