କନକ ବ୍ୟୁରୋ : ଆସନ୍ତା ୧୫ ତାରିଖରେ ଉଦ୍‌ଘାଟନ ହେବ ଇକୋ ରିଟ୍ରିଟ । ଭିତରକନିକାର ପେଣ୍ଠ ଠାରେ ଚଳିତବର୍ଷ ଇକୋ ରିଟ୍ରିଟ ଅନୁଷ୍ଠିତ ହେଉଛି । ଇକୋ ରିଟ୍ରିଟ ଯେପରି ସଫଳ ହେବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଭିତରକନିକାର ଇକୋ ରିଟ୍ରିଟକୁ ଆସିବାକୁ ବୁକିଂ କରିଥିବା ଓ ଇଚ୍ଛା କରିଥିବା ପର୍ଯ୍ୟଟକ ଯେପରି ସକାରାତ୍ମକ ଓ ନିଆରା ଅନୁଭୂତି ନେଇ ଫେରିବେ, ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଗତବର୍ଷ ପ୍ରଥମଥର ପାଇଁ ଭିତରକନିକାର ନଳିତାପାଟିଆ ଠାରେ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଥିଲା । ଓଡିଶାର ଅନ୍ୟ ସ୍ଥାନ ଉପେକ୍ଷା ନଳିତାପାଟିଆ ଇକୋ ରିଟ୍ରିଟ ଅଧିକ ସଫଳ ହୋଇଥିଲା । ଏହାକୁ ଅଧିକ ସଫଳ କରିବା ପାଇଁ ଚଳିତବର୍ଷ ନଳିତାପାଟିଆ ପରିବର୍ତ୍ତେ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ ଆୟୋଜନ କରାଯାଉଛି । କୋଣାର୍କ ପରି ପର୍ଯ୍ୟଟକମାନେ ପେଣ୍ଠ ବେଳାଭୂମିରେ ରାତ୍ରି ରହଣୀ ସହିତ ବେଳାଭୂମିର ଶୋଭା ଉପଭୋଗ କରିବେ ।

Advertisment

ବିଶ୍ବ ପ୍ରସିଦ୍ଧ ଭିତରକନିକାରେ ପ୍ରକୃତି ପ୍ରେମୀ ପର୍ଯ୍ୟଟକମାନେ ଜଳଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ଇକୋ ରିଟ୍ରିଟରେ ରହିବାକୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ଭିତରକନିକା ପରିଭ୍ରମଣର ସୁଯୋଗ ଦିଆଯିବ। ଦିନରେ ଭିତରକନିକାର ଶୋଭା ଅନୁଭବ କରିବେ ଓ ରାତିରେ ବିଳାସପୂର୍ଣ୍ଣ କଟେଜରେ ରହିବା ସହ ନାଚ ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ ।

ଇକୋ ରିଟ୍ରିଟ ସ୍ଥଳରେ ଭାସମାନ ରେସ୍ତୋରାଁରେ ଜଳପାନଠୁ ଆରମ୍ଭ କରି ଯୋଗ କରିବାର ନିଆରା ଅନୁଭୂତି ସାଉଁଟିବେ । ପେଣ୍ଠ ବେଳାଭୂମି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ । ଏଠାରେ ପର୍ଯ୍ୟଟକମାନେ ସମୁଦ୍ର ସ୍ନାନର ମଜା ନେବା ସହ ବଣଭୋଜି କରି ଫେରିଥାନ୍ତି । ପେଣ୍ଠ ପ୍ରବେଶ ପଥରେ ଶ୍ରୀ ବନବିହାରୀଜିଉ ମନ୍ଦିର ଓ ଶିବ ମନ୍ଦିର ରହିଛି । ଏଠାରେ ଓଡିଶାର ପ୍ରଥମ ଓ ଭାରତର ଦ୍ବିତୀୟ ୫୦୫ ମିଟରର ଜିଓ ସିନ୍ଥେଟିକ ୱାଲ ରହିଛି । ଏଠାରେ ଝାଉଁ ଜଙ୍ଗଲ ସହିତ ସମୁଦ୍ରରେ ୬ ପ୍ରଜାତିର ଡଲଫିନଙ୍କ ଜଳକ୍ରୀଡା ଓ ରଂଗବେରଂଗର ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଭରପୁର ଆନନ୍ଦ ଦେଇଥାଏ । ଇକୋ ରିଟ୍ରିଟ ସ୍ଥଳରେ ଚଳିତବର୍ଷ ୩୦ଟି କଟେଜର ବ୍ୟବସ୍ଥା କରାଯାଇଛି । କଟେଜ ଗୁଡିକ ବିଳାସପୂର୍ଣ୍ଣ କରାଯାଇଛି । ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିନେ ଦୁଇଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ହେବ ଓ ୧୫ ତାରିଖ ଦିନ ଏହା ଉଦ୍‌ଘାଟିତ ହେବ ବୋଲି କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଂଜନ ବେହେରା ସୂଚନା ଦେଇଛନ୍ତି ।