ଇକମୋ ବଂଚାଇଲା କଅଁଳା ଶିଶୁର ଜୀବନ: ଏମ୍ସରେ ନୂଆ ଜୀବନ ପାଇଲା ୨୨ନମାସର କୁନି ଝିଅ

133

କନକ ବ୍ୟୁରୋ: ହସ୍ପିଟାଲ ବେଡରେ ଡାକ୍ତର ଓ କର୍ମଚାରୀ ବେଢି ରହିଥିବା ଏହି ଛୋଟିଆ ଶିଶୁଟିର ବୟସ ମାତ୍ର ୨୨ ମାସ । ଜାଣଲେ ଆଶ୍ଚର୍ଯ୍ୟ ହେବେ ୨ ବର୍ଷ ପୂରିନଥିବା ଏହି ଶିଶୁକନ୍ୟା କରୋନାକୁ ମାତ ଦେଇଛି । କେବଳ କରୋନାକୁ ମାତ ଦେଇନାହିଁ ବରଂ ଜଟିଳ ଫୁସଫୁସ ସଂକ୍ରମଣରୁ ବି ସୁସ୍ଥ ହୋଇପାରିଛି । ଚିକିତ୍ସା ବିଜ୍ଞାନର ଚମକ୍ରାରିତା କୁହନ୍ତୁ ବା ଡାକ୍ତରଙ୍କ ନିରନ୍ତର ପରିଶ୍ରମ । କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ ଆସିବା ପରେ ଶିଶୁଟିକୁ ଏକମୋରେ ରଖି ଚିିକିତ୍ସା କରାଯାଉଥିଲା । ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପରେ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇଛି ।

ଢେଙ୍କାନାଳ ଜିଲ୍ଲାର ଏହି ୨୨ମାସର ଶିଶୁକନ୍ୟାଟି କରୋନା ଆକ୍ରାନ୍ତ ହେବା ପରେ ଶ୍ୱାସକ୍ରୀୟାରେ କଷ୍ଟ ଅନୁଭବ କରିଥିଲା । କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନହେବାରୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ତୁରନ୍ତ ତାକୁ ଶିଶୁରୋଗ ବିଭାଗ ଆଇସିୟୁରେ ଭର୍ତି କରି ଅକ୍ସିଜେନ ଲଗାଯାଇଥିଲା । ତେବେ ଜଟିଳ ଫୁସଫୁସ ସଂକ୍ରମଣ ଥିବାରୁ ଫୁସଫୁସକୁ ସଫା କରିବା ଜରୁରୀ ବୋଲି ଅନୁଭବ କରିଥିଲେ ବିଶେଷଜ୍ଞ ଡାକ୍ତର ।

ଶିଶୁଟିକୁ ଏକମୋ ଚିକିତ୍ସା ଅର୍ଥାତ କୃତ୍ରିମ ଉପାୟରେ ଅକ୍ସିଜେନ ଯୋଗାଇ ଦେଇ ଫୁସଫୁସକୁ ସାଲାଇନରେ ସଫା କରାଯାଇଥିଲା । ଏହି ଜଟିଳ ପ୍ରକ୍ରୀୟାକୁ ସମ୍ପାଦନ କରିଥିଲେ ଏମ୍ସ ଶିଶୁ ରୋଗ ବିଭାଗର ବରିଷ୍ଠ ଡାକ୍ତରଙ୍କ ଏକ ବିଶେଷଜ୍ଞ ଦଳ । ୩୦ ଅଗଷ୍ଟ ଓ ୧୩ ସେପ୍ଟେମ୍ବରରେ ଏହିଭଳି ଦୁଇ ଥର ଚିକିତ୍ସା କରିବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥାରେ ଚମକ୍ରାର ଉନ୍ନତି ଦେଖାଯାଇଥିଲା । ଶିଶୁଟି ସୁସ୍ଥ ହେବା ଏବେ ହସ୍ପିଟାଲରୁ ଘରକୁ ଫେରିଛି । ନିୟମିତ ବ୍ୟବଧାନରେ ତାର ସ୍ୱାସ୍ଥ୍ୟବସ୍ଥାକୁ ଅନୁଧ୍ୟାନ କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।