ଯୋଗୀ, ମାୟାବତୀ ଓ ମେନକାଙ୍କ ପରେ ପୁଣି ଜଣେ ବିଜେପି ନେତାଙ୍କ ପ୍ରଚାର ଉପରେ ଲାଗିଲା କଟକଣା : ହିମାଚଳ ପ୍ରଦେଶ ବିଜେପି ମୁଖ୍ୟଙ୍କ ଉପରେ ୪୮ ଘଂଟିଆ ବ୍ୟାନ୍

ରାହୁଲଙ୍କୁ ନେଇ ଟିପଣୀ ପରେ ନିର୍ବାଚନ କମିଶନଙ୍କ କଟକଣା

107

କନକ ବ୍ୟୁରୋ : ଯୋଗୀ, ମାୟାବତୀ ଓ ମେନକାଙ୍କ ପରେ ପୁଣି ଜଣେ ବିଜେପି ନେତାଙ୍କ ପ୍ରଚାର ଉପରେ ଲାଗିଲା କଟକଣା । ହିମାଚଳ ପ୍ରଦେଶ ବିଜେପି ମୁଖ୍ୟ ସତପାଲ ସିଂହଙ୍କ ଉପରେ ୪୮ ଘଂଟିଆ ବ୍ୟାନ୍ ଲଗାଇଛନ୍ତି ନିର୍ବାଚନ କମିଶନ୍ । ଆଗାମୀ ୨ ଦିନ ଯାଏଁ ସେ କୌଣସି ପ୍ରଚାର କରିପାରିବେ ନାହିଁ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ସେ ଆଜି ଦିନ ୧୦ଟା ପରଠାରୁ ଆଗାମୀ ୨ ଦିନ ଯାଏଁ ଆଉ ପ୍ରଚାର କରିପାରିବେ ନାହିଁ ।

ରାହୁଲ ଗାନ୍ଧୀଙ୍କୁ ନେଇ ଏକ ଆପତ୍ତିଜନକ ଟିପ୍ପଣୀ କରିଥିବାରୁ ତାଙ୍କ ବିରୋଧରେ ଏହି କଟକଣା ଲାଗିଛି । ସିମଲା ଲୋକସଭା ନିର୍ବାଚନ ମଣ୍ଡଳୀରେ ସେ କହିଥିଲେ ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ତାଙ୍କ ମାଆ ସୋନିଆ ଗାନ୍ଧୀ ଓ ଭିଣୋଇ ରବର୍ଟ ଭଦ୍ରା ଜାମିନରେ ଆସିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେମାନେ ଚୋର ବୋଲି କହିବାର କୌଣସି ନୈତିକ ଅଧିକାର ନାହିଁ । ଏଭଳି ବୟାନ ଭିତରେ ସେ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଅତି ଅଶ୍ଳୀଳ ଶବ୍ଦର ମଧ୍ୟ ପ୍ରୟୋଗ କରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଥିଲେ ହିମାଚଳ ପ୍ରଦେଶର କଂଗ୍ରେସ କର୍ମୀମାନେ । ସତପାଲଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ଏସବୁକୁ ବିଚାର କରି ତାଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି ।