ବିବାଦୀୟ ବୟାନ ଦେଇଥିବା ବିଜେପି ସାଂସଦଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍ । ଅନୁରାଗ ଓ ପ୍ରବେଶଙ୍କୁ ତାରକା ପ୍ରଚାରକ ତାଲିକାରୁ ବାଦ୍ ଦେବାକୁ ନିର୍ଦ୍ଦେଶ ।

143

କନକ ବ୍ୟୁରୋ : ବିବାଦୀୟ ବୟାନ ପାଇଁ ତାରକା ପ୍ରଚାରକ ତାଲିକାରୁ ବିଜେପି ସାଂସଦ ଅନୁରାଗ ଠାକୁର ଓ ପ୍ରବେଶ ବର୍ମାଙ୍କୁ ବାଦ୍ ଦେବାକୁ ନିର୍ବାଚନ କମିଶନଙ୍କ ନୋଟିସ । କିନ୍ତୁ ଏହା ସତ୍ୱେ ଉଭୟ ନେତା ପ୍ରଚାର କରିବେ ବୋଲି ସ୍ପଷ୍ଟ କରିଛି ବିଜେପି । ତାଙ୍କ ନାଁ କେବଳ ତାରକା ପ୍ରଚାରକ ତାଲିକାରୁ ବାଦ୍ ଦେବାକୁ କୁହାଯାଇଛି ବୋଲି କହିଛି ବିଜେପି ।

ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିବା ବିଜେପି ସାଂସଦଙ୍କ ଉପରେ ଲାଗିଲା ନିର୍ବାଚନ କମିଶନଙ୍କ ଲଗାମ । ବିଜେପିର ତାରକା ପ୍ରଚାର ତାଲିକାକୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପ୍ରବେଶ ବର୍ମାଙ୍କ ନାଁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏହା ସତ୍ୱେ ମଧ୍ୟ ବିଜେପି ପାଇଁ ଦିଲ୍ଲୀରେ ପ୍ରଚାର ଜାରି ରଖିବେ ଏହି ଦୁଇ ନେତା । ବିଜେପି ନେତା ଅଶୋକ ଗୋୟଲଙ୍କ କହିବା ଅନୁଯାୟୀ, ଅନୁରାଗ ଓ ପ୍ରବେଶଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେବାକୁ କୁହାଯାଇଛି, କିନ୍ତୁ ଏହାର ମାନେ ନୁହଁ ଯେ ସେମାନେ ପ୍ରଚାର କରିପାରିବେ ନାହିଁ ।

ଉତ୍ତେଜକ ବୟାନ ଦେଇଥିବା ନେଇ ଅନୁରାଗ ଠାକୁର ଓ ପ୍ରବେଶ ବର୍ମାଙ୍କ ନାଁରେ ଅଭିଯୋଗ ହୋଇଥିଲା । ସାହିନବାଗରେ ସିଏଏ ବିରୋଧରେ ଦେଢ ମାସ ହେଲା ଜାରି ରହିଥିବା ପ୍ରତିବାଦକୁ ନେଇ ବିବାଦୀୟ ବୟାନ ଦେଇଥିଲେ ବିଜେପି ନେତା । ୨୭ତାରିଖ ଦିନ ଦିଲ୍ଲୀର ଏକ ନିର୍ବାଚନୀ ରାଲିରେ ଦେଶଦ୍ରୋହୀଙ୍କୁ ଗୁଳି କରିବା ପାଇଁ କହିଥିଲେ ଅନୁରାଗ । ଯାହାର ଜବାବ ରଖିଥିଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।

ଆଉ ଏହାରି ଭିତରେ ଆଜି ଅନୁରାଗ ଠାକୁର ଓ ପ୍ରବେଶ ବର୍ମାଙ୍କୁ ନୋଟିସ୍ ଜାରି କରିଛନ୍ତି ନିର୍ବାଚନ କମିଶନ । ଏବଂ ଗୁରୁବାର ୧୨ଟା ସୁଦ୍ଧା ଉଭୟ ବିଜେପି ନେତାଙ୍କୁ ଜବାବ ରଖିବା ପାଇଁ ନୋଟିସରେ କୁହାଯାଇଛି । ସେପଟେ ଉଭୟଙ୍କ ନାଁ ତାରକା ପ୍ରଚାରକ ତାଲିକାରୁ ବାଦ୍ ପଡିଲେ ମଧ୍ୟ ସେମାନେ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରିବେ ବୋଲି କହିଛି ବିଜେପି ।