ସଙ୍କଟରେ ସିଦ୍ଧୁ ! ଧର୍ମୀୟ ରାଜନୀତିକୁ ନେଇ ଦେଇଥିଲେ ବୟାନ, ୨୪ ଘଣ୍ଟା ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ବାଚନ କମିଶନଙ୍କ ନୋଟିସ ।

120

କନକ ବ୍ୟୁରୋ : ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଅଡୁଆରେ ପଡିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ୨୪ ଘଣ୍ଟା ଭିତରେ କାରଣ ଦର୍ଶାଇବାକୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା ପାଇଁ ମୁସଲିମ୍ ସମୁଦାୟ ଏକ ହୋଇ କଂଗ୍ରେସକୁ ଭୋଟ୍ ଦେବା ପାଇଁ କହିଥିଲେ ସିଦ୍ଧୁ । ଆଉ ଏହି ବୟାନକୁ ନେଇ ନୋଟିସ ପଠେଇଛନ୍ତି ଇସି । ଧର୍ମୀୟ ଭାବନାକୁ ନେଇ ରାଜନୀତି କରିଥିବାରୁ ନିର୍ବାଚନ କମିଶନ ସିଦ୍ଧୁଙ୍କୁ ଏହି ନୋଟିସ ପଠାଇଥିବା ଜଣାପଡିଛି ।

ତେବେ ଏହି ମାମଲାରେ ସିଦ୍ଧୁଙ୍କ ଉପରେ ଆଚାର ସଂହିତା ଉଲ୍ଲଂଘନର ଏତଲା ମଧ୍ୟ ହୋଇଥିଲା । କଟିହାରର ବାରସୋଇ ଥାନାର ମାଜିଷ୍ଟ୍ରେଟ୍ ରାଜୀବ ରଂଜନଙ୍କ ବୟାନରେ ଏହି ଏତଲା ଦିଆଯାଇଥିଲା । ଏକ ନିର୍ବାଚନ ସଭାକୁ ଉଦବୋଧନ ଦେଉଥିବା ସମୟରେ ସିଦ୍ଧୁ କହିଥିଲେ, ‘ଆପଣମାନେ (ମୁସଲିମ୍ ସମୁଦାୟ) ଏଠାରେ ଅଳ୍ପସଂଖ୍ୟକ ଥାଇ ମଧ୍ୟ ବହୁସଂଖ୍ୟକ । ଆପଣମାନେ ଯଦି ଏକଜୁଟ୍ ହେବେ ତେବେ ଆପଣଙ୍କ ପ୍ରତ୍ୟାଶୀ ତାରିକ୍ ଅନୱରଙ୍କୁ ଜିତିବାରୁ କେହି ରୋକିପାରିବେ ନାହିଁ ।‘