କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ବଢିଲା ଅଡୁଆ । ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପନୌତି ଶବ୍ଦ ବ୍ୟବହାରକୁ ନେଇ ବିଜେପି ତରଫରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିଜେପିର ଅଭିଯୋଗ ପରେ ନିର୍ବାଚନ ଆୟୋଗ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛି । ଏନେଇ ଶନିବାର ସୁଦ୍ଧା ଜବାବ ରଖିବାକୁ ରାହୁଲଙ୍କୁ ନୋଟିସରେ କୁହାଯାଇଛି । ବିଜେପି ତରଫରୁ କରାଯାଇଥିବା ଅଭିଯୋଗ ମୁତାବକ ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ପନୌତି ଓ ଜେବକତରେ ଓ ଋଣ ଛାଡ ଭଳି ଟିପ୍ପଣୀ ଦେଇଥିଲେ ।

Advertisment

ବିଜେପି କହିଛି ଯେ, ୧୯୮୨ ଏସିଆଡ ହକି ଫାଇନାଲ ଦେଖିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଗୃହମନ୍ତ୍ରୀ ବୁଟା ସିଂ ଯାଇଥିଲେ । ହେଲେ ଭାରତ ପାକିସ୍ତାନ ଠାରୁ ପରାଜିତ ହୋଇଥିଲା । ଖେଳ ମଝିରୁ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଛାଡି ପଳାଇଥିଲେ । ବିଜେପି ଦାବି କରିଛି କି, ଏହା ଫଳରେ ଖେଳାଳୀଙ୍କ ମନୋବଳ ଭାଙ୍ଗିଯାଇଥିଲା ଓ ଦଳ ପରାଜିତ ହୋଇଥିଲା ।

କହିରଖୁ କି ପନୌତି ଶବ୍ଦର ଆଖରିକ ଅର୍ଥ କ’ଣ ତାହା ସ୍ପଷ୍ଟ ହୋଇନାହିଁ । କାରଣ ଭାରତରେ ପନୌତିକୁ ଅମଙ୍ଗୁଳିଆ ବା ଅଶୁଭ ବୋଲି ଗ୍ରହଣ କରାଯାଉଛି । ହେଲେ ନେପାଳରେ ପନୌତି ନାମରେ ଏକ ଧାର୍ମିକ ସହର ରହିଛି । ଏହି ସହର ବିଶେଷ ଭାବେ ହିନ୍ଦୁ ଦେବାଦେବୀଙ୍କର ପୀଠ ସ୍ଥଳ । ତେଣୁ ନେପାଳରେ ପନୌତି ଶବ୍ଦର ଅର୍ଥ ଶୁଭଙ୍କର ବୋଲି ଗଣନା କରାଯାଏ ।

ସେପଟେ କିଛିଦିନ ତଳେ ବିଜେପି ପ୍ରବକ୍ତା ଗୌରବ ଭାଟିଆ ଏକ ଟ୍ୱିଟରେ ରାହୁଲ ଗାନ୍ଧୀଙ୍କ ଉର୍ଦ୍ଦେଶ୍ୟରେ ପନୌତି ଶବ୍ଦ ଲେଖି ଟ୍ୱିଟ କରିଥିଲେ । ସେହିଭଳି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ଭାଷଣକୁ କୋଟ୍ କରି ଟ୍ୱିଟ୍ କରିଥିଲେ । ଏଥିରେ ସେ ଲେଖିଥିଲେ କି ପ୍ରିୟଙ୍କା ଗାନ୍ଧୀ ହେଉଛନ୍ତି ଅସଲି ପନୌତି ।

ଏସବୁକୁ ନେଇ କଂଗ୍ରେସ ନେତା ପବନ ଖେଡା ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଯଦି ପନୌତିି ଶବ୍ଦ ପାଇଁ ରାହୁଲ ଗାନ୍ଧୀ କ୍ଷମା ମାଗିବେ ତେବେ କଂଗ୍ରେସ ଉର୍ଦ୍ଦେଶ୍ୟରେ ନିର୍ମଳା ସୀତାରମଣ ରାହୁକାଳ, ପ୍ରଧାନମନ୍ତ୍ରୀ ମୋଦୀ ମୁର୍ଖଙ୍କ ସଦ୍ଦାର ଭଳି ଶବ୍ଦ ବ୍ୟବହାର କରିଥିବାରୁ ସେମାନେ ମଧ୍ୟ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।