କୁକୁଡା ଖାଇଲେ ହେଉନି କରୋନା । ମହାମାରୀ ବେଳେ ଖାଇହେବ ମାଂସ, ଅଣ୍ଡା । ନିରାପଦରେ ଚିକେନ ଖାଇପାରିବା ନେଇ ପରାମର୍ଶ ଦେଲେ ସରକାର । କହିଲେ, ମାଂସ ଖାଇଲେ କରୋନା ହେବା ଏକ ଗୁଜବ

1,232

କନକ ବ୍ୟୁରୋ: ‘ଚିକେନ, ଅଣ୍ଡାରୁ ହେଉନି କରୋନା’ । ନିରାପଦରେ ଅଣ୍ଡା, ମାଂସ ଖାଇବାକୁ ସରକାରଙ୍କ ପରାମର୍ଶ । କୁକୁଡା ଅଣ୍ଡା ଖାଇଲେ ହେବନି କରୋନା । ଭୟଭୀତ ନହୋଇ ବିନା ଆଶଙ୍କାରେ ଆରାମରେ ଖାଆନ୍ତୁ ଚିକେନ ଓ ଅଣ୍ଡା । କୁକୁଡା ମାଂସ ଖାଇଲେ କରୋନା ହେବାର ଯେଉଁ ଖବର ପ୍ରସାରଣ ହେଉଛି ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ଘୁରି ବୁଲୁଥିବା ଗୁଜବ । ତେଣୁ କରୋନା କାଳରେ ବି ଲୋକେ ବିନା ଦ୍ୱିଧାରେ ଅଣ୍ଡା ଓ କୁକୁଡା ଖାଇପାରିବେ ବୋଲି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କୁକୁଡା ମାଂସ କିମ୍ବା ଅଣ୍ଡା ଖାଇବା ଦ୍ୱାରା କରୋନା ବା ତା ଠାରୁ ଭୟଙ୍କର ଭୂତାଣୁ ବ୍ୟାପିବାର ଏଯାବତ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ କିମ୍ବା ବିଶ୍ୱ ପ୍ରାଣୀସ୍ୱସ୍ଥ୍ୟ ସଙ୍ଗଠନ ତରଫରୁ ବି କୌଣସି ତଥ୍ୟ ଜାରି କରାଯାଇନାହିଁ । ତେଣୁ କରୋନା କୁକୁଡା କିମ୍ବା ଅଣ୍ଡା ଦ୍ୱାରା ବ୍ୟାପି ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି ।

କୁକୁଡା ମାଂସ, ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁଥିବା ନେଇ ଗୁଜବ ପ୍ରଚାର ହେବା ପରେ ଏହା ନିରାପଦ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ତେବେ କୁକୁଡା ଜାତୀୟ ପଦାର୍ଥ ସଂସ୍ପର୍ଶରେ ଆସିବା ସମୟରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା ନିହାି ଦରକାର । ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା, ଆଲକୋହଲଯୁକ୍ତ ଦ୍ରବଣ ହାତରେ ଘଷିବା, କୁକୁଡା ମାଂସ ଓ ଅଣ୍ଡା ରହିବା ସ୍ଥାନକୁ ସଫା ସୁତୁରା ରଖିବା । କଞ୍ଚା କୁକୁଡା ମାଂସକୁ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଠାରୁ ଦୂରେଇ ରଖିବା ଏବଂ ଏସବୁକୁ ଭଲଭାବେ ସିଝାଇ ଖାଇବା ଉଚିତ ବୋଲି ପରାମର୍ଶ ଦିଆଯାଇଛି ।