କନକ ବ୍ୟୁରୋ: ଗତ କିଛି ଦିନ ହେଲା ଓଡିଆ ଚଳଚିତ୍ର ଜଗତରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି । ପ୍ରଯୋଜକ-ପ୍ରଯୋଜକ ମଧ୍ୟରେ ବିବାଦ ପରେ ଏବେ ଅଭିନେତା ଓ ଅଭିନେତାଙ୍କ କଳି ଚରମ ସୀମାରେ ପହଁଚିଛି । ବିବାଦ ଏତେ ବଢ଼ିଛି ଯେ, ଏହା ଏବେ ରାଜନୀତିର ରୂପ ନେଉଛି । ଏପରିକି କଥା ଏବେ ସାଢ଼େ ଚାରିକୋଟି ଓଡିଆଙ୍କୁ ଭାଗ ଭାଗ କରିବା ଯାଏଁ ପହଞ୍ଚିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ତେବେ ନରସିଂହ ମିଶ୍ରଙ୍କ ପରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ନାଉରୀ ନାୟକ ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଛନ୍ତି । ମନୋଜ ମିଶ୍ରଙ୍କ ବାସନ୍ଦକୁ ନିନ୍ଦା କରିବା ସହ ଏହାର ପ୍ରତ୍ୟାହାର ଦାବି କରୁଛନ୍ତି । ବାସନ୍ଦ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଆଉ ନେତାମାନେ ମନୋଜଙ୍କ ସମର୍ଥନରେ ବାହାରିବା ପରେ ପଶ୍ଚିମ ଓଡିଶାରେ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଅଭିନେତାମାନଙ୍କ କୁଶପୁତଳିକା ଦାହ କରାଯାଉଛି । ଯାହା ଏକ ପ୍ରକାର ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି ।
ଓଲିଉଡର କଳି ଭିତରେ ବରିଷ୍ଠ ରାଜନେତା ପଶିବା ପରେ, ମାମଲା ଆଞ୍ଚଳିକ ବିବାଦ ଆଡକୁ ଗତି କରୁଛି । ଯାହାକି ଓଡିଶାର ଏକତାକୁ କାଠଗଡାରେ ଛିଡା କରିଛି । ତେଣୁ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଓଡିଶାର ବହୁ ବରିଷ୍ଠ ନେତା । ଦଳ ମତ ନିର୍ବିଶେଷରେ ରାଜ୍ୟର ଅଖଣ୍ଡତା ବଜାୟ ରଖିବାକୁ ଅପିଲ କରିଛନ୍ତି । ବରିଷ୍ଠ ନେତାମାନେ ଏଭଳି ମନ୍ତବ୍ୟ ନଦେବା ପାଇଁ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ କଳାକାରଙ୍କ କଳିକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହେବା ପରେ, ସାମନାକୁ ଆସିଛନ୍ତି ଅଭିନେତା ଅରିନ୍ଦମ । ଆଉ ଏହାକୁ ନେଇ ରାଜନୀତି ନକରିବାକୁ ଅପିଲ୍ କହିଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ଦୁଇ ଚାରି ଜଣ କଳାକାର ଓ ପ୍ରଯୋଜକ ସଂଘ ଯୋଗୁଁ ସାଢ଼େ ଚାରିକୋଟି ଓଡିଆଙ୍କ ଭିତରେ କାହିଁକି ବିଭେଦ ସୃଷ୍ଟି କରାଯାଉଛି? ରାଜନେତାମାନେ ବିବାଦରେ ନିଆଁ ଢ଼ାଳିବା ଉଚିିତ୍ କି? ନେତାମାନେ ସମାଧାନ ବଦଳରେ କାହିଁକି ରାଜନୈତିକ ମନ୍ତବ୍ୟ ଦେଉଛନ୍ତି?