କରୋନା ପ୍ରଭାବ : ପୂର୍ବତଟ ରେଳପଥର ସୂଚନା, ଗତ ୬ ଦିନ ମଧ୍ୟରେ ବାତିଲ ହୋଇଛି ୧ ଲକ୍ଷରୁ ଅଧିକ ଟ୍ରେନ୍ ଟିକେଟ ।

862

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । କରୋନା ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେଥିପାଇଁ ଅନେକ ଗୁଡିଏ ପଦକ୍ଷେପ ନେଇଛନ୍ତି ସରକାର । ବଡ ବଡ ମଲ ବନ୍ଦ ଥିବା ବେଳେ ଦୋକାନ ବଜାର ଖାଁ ଖାଁ ରହୁଛି । ଭିଡ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ କୁହାଯାଇଥିବା ବେଳେ ଅତି ଆବଶ୍ୟକ ନ ହେଲେ ଯାତ୍ରା କରନ୍ତୁ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତିରେ ଏହାର ପ୍ରଭାବ ସିଧାସଳଖ ପୂର୍ବତଟ ରେଳପଥ ଉପରେ ପଡିଛି ।

ପୂର୍ବତଟ ରେଳପଥରେ ଗତ ଛଅ ଦିନ ମଧ୍ୟରେ ଏକ ଲକ୍ଷରୁ ଊଦ୍ଧ୍ୱର୍ ଟିକେଟ୍ ବାତିଲ୍ ହୋଇଛି  । ଏହି ସଂଖ୍ୟା ଗତ ବର୍ଷ ବାତିଲ୍ ହୋଇଥିବା ଟିକେଟ ସଂଖ୍ୟାଠାରୁ ଶତକଡ଼ା ୬୭ ପ୍ରତିଶତ ଅଧିକ  । ଯାତ୍ରୀ ସଂଖ୍ୟା କମିବା ଦୃଷ୍ଟିରୁ, ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ୧୦ଟି ସ୍ୱତନ୍ତ୍ର ଟ୍ରେନକୁ ବିଭିନ୍ନ ସ୍ଥାନରୁ ବାତିଲ କରାଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ଟ୍ରେନକୁ ବାତିଲ୍ କରାଯାଇପାରେ  ।  ପୂର୍ବତଟ ରେଳପଥର ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବିଶାଖାପାଟଣା ଡିପୋରୁ ଛାଡ଼ିବାକୁ ଥିବା ଟ୍ରେନ୍ ଗୁଡ଼ିକରୁ ଚାଦର ଓ ପରଦା ବାହାର କରି ଦିଆଯାଇଛି  । ଯାତ୍ରୀମାନେ ଚାହିଁଲେ ସେମାନଙ୍କର ନିଜର ଶାୱଲ, ବେଡସିଟ୍ ଇତ୍ୟାଦି ସାଙ୍ଗରେ ନେଇ ପାରିବେ ବୋଲି କୁହାଯାଇଛି ।