ଭୁବନେଶ୍ୱର–କେନ୍ଦୁଝର ଓ ପୁରୀ-ଅନୁଗୁଳକୁ ଗଡ଼ିବ ‘ମେମୁ’ ଟ୍ରେନ : ଯାତ୍ରୀଙ୍କ ଅସୁବିଧାକୁ ଦେଖି ପୂର୍ବତଟ ରେଳବାଇର ନିଷ୍ପତ୍ତି

ପୁରୀରୁ ହାଟିଆ, ସମ୍ବଲପୁର ଓ ପାରାଦୀପ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

480

କନକ ବ୍ୟୁରୋ : ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ବର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ କରିବ। ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ସ୍ଥିର ହୋଇଛି । ପାସେଞ୍ଜର/ମେମୁ ଟ୍ରେନ୍‌ ଚଳାଚଳ ହେଉ ନ ଥିବାରୁ ଯାତ୍ରୀ ହଇରାଣ ହେଉଥିବା ନେଇ ଖବର ପ୍ରକାଶ ପାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ(୬୮୪୨୬) ମାର୍ଚ୍ଚ ୩୦ରୁ ଅପରାହ୍ନ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡ଼ି ରାତି ୯ଟା ୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ ଏବଂ କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ(୬୮୪୨୫) ସକାଳ ୬ଟା ୩୦ରେ କେନ୍ଦୁଝରଗଡ଼ରୁ ବାହାରି ପୂର୍ବାହ୍ନ ୧୧ଟା ୫ରେ ଭୁବନେଶ୍ବରରେ ପହଞ୍ଚିବ। ସେହିପରି ପୁରୀ-ଅନୁଗୁଳ ମେମୁ(୬୮୪୨୨) ଏପ୍ରିଲ ୫ରୁ ଅପରାହ୍ଣ ୪ଟା ୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ରେ ପହଞ୍ଚିବ ଏବଂ ଅନୁଗୁଳ-ପୁରୀ ମେମୁ(୬୮୪୨୧) ସକାଳ ୫ଟା ୪୫ରେ ଅନୁଗୁଳରୁ ବାହାରି ପୂର୍ବାହ୍ନ ୧୦ଟା ୨୦ରେ ପୁରୀରେ ପହଞ୍ଚିବ ।

ଅନ୍ୟପକ୍ଷରେ ପୁରୀ-ହାଟିଆ-ପୁରୀ ଟ୍ରେନ୍‌ ଏପ୍ରିଲ ପହିଲାରୁ ପୁରୀରୁ ରାତି ୮ଟା ୩୦ରେ ଛାଡ଼ି ପରଦିନ ପୂର୍ବାହ୍ନ ୧୦ଟା ୪୫ରେ ହାଟିଆରେ ପହଞ୍ଚିବ ଏବଂ ହଟିଆ-ପୁରୀ ଟ୍ରେନ୍‌ ଏପ୍ରିଲ ୨ରୁ ଅପରାହ୍ଣ ୪ଟାରେ ହଟିଆରୁ ବାହାରି ପରଦିନ ସକାଳ ୬ଟା ୧୦ରେ ପୁରୀରେ ପହଞ୍ଚିବ। ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌ ଏପ୍ରିଲ ୩ରୁ ସକାଳ ୬ଟାରେ ସମ୍ବଲପୁରରୁ ବାହାରି ଅପରାହ୍ଣ ୧୨ଟା ୫୦ରେ ପୁରୀରେ ପହଞ୍ଚିବ ଏବଂ ଅପରାହ୍ଣ ୩ଟା ୪୫ରେ ପୁରୀରୁ ବାହାରି ରାତି ୧୦ଟା ୧୦ରେ ସମ୍ବଲପୁରରେ ପହଞ୍ଚିବ। ପୁରୀ-ପାରାଦୀପ-ପୁରୀ ସ୍ବତନ୍ତ୍ର ଟ୍ରେନ ଏପ୍ରିଲ ୭ରୁ ସକାଳ ୬ଟା ୧୫ରେ ପୁରୀରୁ ବାହାରି ପୂର୍ବାହ୍ନ ୧୦ଟା ୧୫ରେ ପାରାଦୀପରେ ପହଞ୍ଚିବ ଏବଂ ସନ୍ଧ୍ୟା ୬ଟାରେ ପାରାଦୀପରୁ ଛାଡ଼ି ରାତି ୧୦ଟା ୧୦ରେ ପୁରୀରେ ପହଞ୍ଚିବ।