କଟକରେ ଦୋକାନ ଖୋଲିବାକୁ ମହାନଗର ନିଗମର ଅନୁମତି: ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲିବ ଉଭୟ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ଦୋକାନ; ରେସ୍ତୁରାଁ, ପାନ, ମଦ, ସେଲୁନ ଓ ସୁନା ଦୋକାନ ରହିବ ବନ୍ଦ

1,763

କନକ ବ୍ୟୁରୋ: ତାଲା ବନ୍ଦର କଟକଣା ଭିତରେ କଟକରୁ ଆସିିଛି ଏକ ଆଶ୍ୱସ୍ତିକର ଖବର । କଟକରେ ଦେକାନ ଖୋଲିବାକୁ ଅନୁମତି ଦେଇଛି ମହାନଗର ନିଗମ । ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ଉଭୟ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ସିଏମ୍ସି କମିଶନରଙ୍କ ପକ୍ଷରୁ ଅର୍ଡର ଜାରି ହୋଇଛି । ତେବେ ପାନ ଦୋକାନ, ମଦ ଦୋକାନ, ସେଲୁନ ଦୋକାନ, ସୁନା ଦୋକାନ ଓ ରେସ୍ତୁରାଁ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

ଅଣଅତ୍ୟାବଶ୍ୟକ ଖୁଚୁରା ଦୋକାନ ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହିବ । ସେହିପରି ଅଣଅତ୍ୟାବଶ୍ୟକ ପାଇକାରୀ ଦୋକାନ ସକାଳ ୬ରୁ ୧୧ ଯାଏଁ ଖୋଲା ରହିବ । ତେବେ ଅଧାକର୍ମଚାରୀରେ ଏହି ସବୁ ଦୋକାନ ଚାଲିବ । ହେଲେ ମାକ୍ସ ଓ ସାମାଜିକ ଦୁରତ୍ୱକୁ ବାଧ୍ୟତାମୁଳକ କରାଯାଇଛି । ସେହିପରି ସମସ୍ତ ଦୋକାନରେ ସାନିଟାଇଜ ରହିବା ବାଧ୍ୟତାମୁଳକ । କିନ୍ତୁ ପୂର୍ବ ଭଳି ଗାଡ଼ି ଚଳାଚଳ ଉପରେ କଟକଣା ଜାରି ରହିବ ।

ସେପଟେ, ଯାଜପୁର ଜିଲ୍ଲାର ୫ ବ୍ଲକ ଓ ଗୋଟିଏ ପୌରାଂଚଳରେ ଲାଗୁ ରହିବ ସଟ୍ଡାଉନ୍ କଟକଣା । ଜିଲ୍ଲାରେ କରୋନା ଭୂତାଣୁର ପ୍ରାଦୂର୍ଭାବ ବଢି ଚାଲୁଥିବାରୁ ଏହି ଅଂଚଳଗୁଡିକୁ କଂଟେନ୍ମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଜିଲ୍ଲାର ଯାଜପୁର ବ୍ଲକ, ଦଶରଥପୁର ବ୍ଲକ, ବିଂଝାରପୁର ବ୍ଲକ, କୋରେଇ ବ୍ଲକ, ବରୀ ବ୍ଲକ ଓ ଯାଜପୁର ପୌରପାଳିକାର ସମସ୍ତ ଅଂଚଳକୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଫଳରେ ଆଜି ଦିନ ୧୨ଟାରୁ ୨୯ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବଳବତର ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏହି ସମୟରେ କୋବଳ ଔଷଧ ଦୋକାନ ଖୋଲା ରହିବ । ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ଏହି ସମୟରେ କ୍ୱାରେନ୍ଟାଇନ୍୍ରେ ରହୁଥିବା ବ୍ୟକ୍ତିମାନଙ୍କ ନମୁନା ସଂଗ୍ରହ ତ୍ୱରାନ୍ୱିତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୩୦ ତାରିଖରୁ ପୂର୍ବାହ୍ନ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ପୂର୍ବ ଆଦେଶ ଅନୁସାରେ ନିର୍ଧାରିତ ଦୋକାନଗୁଡିକ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।