କନକ ବ୍ୟୁରୋ : ନେପାଳ ସମେତ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବୁଧବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର ଉତ୍ପତି ସ୍ଥଳ ନେପାଳର ଧାନ୍ଦିଙ୍ଗ ଜିଲ୍ଲାର ନୌବତ ବୋଲି ଜଣାପଡିଛି । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବାର ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ ।

Advertisment

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳ ୬ଟା ୨୯ ମିନିଟରେ ନେପାଳ ଏବଂ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହା ପରେ ୬ଟା ୪୦ ମିନିଟରେ ପୁଣି ଥରେ ଭୂମିକମ୍ପ ହୋଇଥିଲା । ଦ୍ୱିତୀୟ ଥର ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ ହୋଇଛି ।

ଏହା ପୂର୍ବରୁ ଗତ ବିଳମ୍ବିତ ରାତିରେ ଉତ୍ତରପୂର୍ବ ଭାରତରେ ଗୋଟାଏ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଛି । ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ୬.୧ ବୋଲି ୟୁଏସ୍ ଜିଓଲୋଜିକାଲ୍ ସର୍ଭେ କହିଛି । ସମଗ୍ର ଆସାମ ଓ ଅରୁଣାଚଳ ପ୍ରଦେଶ ଏବଂ ଚୀନ୍ ସୀମାନ୍ତକୁ ଲାଗିଥିବା କେତେକ ଅଞ୍ଚଳ, ତିବ୍ଦତ ଏବଂ ମିଆଁମାରରେ ଏଥିଯୋଗୁଁ କମ୍ପନ ଅନୁଭୂତ ହୋଇଛି ।

ଏହାର ତୀବ୍ରତା ୫.୯ ବୋଲି ପରେ ସଂଶୋଧନ କରି ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ପୁଣି ଥରେ କହିଛି । ଡିବ୍ରୁଗଡ଼ ସହରର ଉତ୍ତରପଶ୍ଚିମ ପଟର ୧୧୪ କିଲୋମିଟର ଦୂର ଏବଂ ଭୂଗର୍ଭର ୯ କିଲୋମିଟର ଅଭ୍ୟନ୍ତରରେ ଥିଲା ଏହାର କେନ୍ଦ୍ରସ୍ଥଳ । ଭାରତୀୟ ପାଣିପାଗ ସଂସ୍ଥାନ ରିପୋର୍ଟ ଅନୁସାରେ, ରାତି ପ୍ରାୟ ୧:୪୫ ମିନିଟ ସମୟରେ ପଶ୍ଚିମ ସିଆଙ୍ଗ୍ ଓ ଅରୁଣାଚଳ ପ୍ରଦେଶରେ ୫.୮ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି ।