କାଶ୍ମୀର, ଦିଲ୍ଲୀ-ଏନସିଆରରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୫.୯ ।

153

କନକ ବ୍ୟୁରୋ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପ । ଜାମୁ-କାଶ୍ମୀର ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଭୂମିକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦକୁଶ ପର୍ବତମାଳା ବୋଲି କୁହାଯାଉଛି । ବର୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଦିଲ୍ଲୀରେ କିଛି ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦିଲ୍ଲୀ-ଏନସିଆର ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଆସୁଥିବାରୁ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇପଡିଥିଲେ ।

ନ୍ୟାସନାଲ ସେଣ୍ଟର ଫର ସିସମୋଲଜି ଅନୁସାରେ, ଏହି ଭୂମିକମ୍ପ ରାତି ପ୍ରାୟ ୭ଟା ୫୫ ମିନିଟରେ ଅନୁଭୂତ ହୋଇଥିଲା । ଏହାଛଡା ତାଜାକିସ୍ତାନ ଓ ପାକିସ୍ତାନର କିଛି ଅଂଚଳରେ ବି ଝଟକା ଅନୁଭୂତ ହୋଇଛି । ଲାହୋର ଓ ଏହାର ଆଖପାଖ ଅଂଚଳ ବି ଭୂମିକମ୍ପ ହୋଇଛି । ଏହାପୂର୍ବରୁ ଜାନୁଆରୀ ପହିଲାରେ ବି ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା । ହରିୟାଣା ଏହାର କେନ୍ଦ୍ରସ୍ଥଳ ଥିଲା । ଦେଶକୁ ପାଞ୍ଚଟି ଭୂମିକମ୍ପ ଜୋନରେ ବିଭକ୍ତ କରାଯାଇଛି । ଦେଶର ୫୯ ପ୍ରତିଶତ ଭୂମିକମ୍ପପ୍ରବଣ ଜୋନରେ ଆସୁଛି । ପଞ୍ଚମ ଜୋନକୁ ସବୁଠାରୁ ବିପଦଜନକ ବୋଲି ଗଣାଯାଉଛି । ଏହି ଜୋନରେ ଆସୁଥିବା ରାଜ୍ୟ ଓ ଅଂଚଳରେ କ୍ଷୟକ୍ଷତି ଅଧିକ ହେବା ଆଶଙ୍କା ରହିଥାଏ । ଏହି ଜୋନରେ ଦେଶର ୧୧ ପ୍ରତିଶତ ଆସିଥାଏ । ଚତୁର୍ଥ ଜୋନରେ ୧୮ ପ୍ରତିଶତ, ତୃତୀୟ ଓ ଦ୍ୱିତୀୟ ଜୋନରେ ୩୦ ପ୍ରତିଶତ ଲେଖାଁଏ ଆସୁଛି । ଦିଲ୍ଲୀ –ଏନସିଆର ଚତୁର୍ଥ ଜୋନରେ ଆସୁଛି।