ଭୟଙ୍କର ଭୂମିକମ୍ପରେ ଥରିଲା ପିଓକେ । ଦୁଇ ଫାଳ ହୋଇଗଲା ରାସ୍ତା, ମାଟି ଆଁରେ ପଶିଗଲା ଗାଡି ।

773

କନକ ବ୍ୟୁରୋ : ଭୂମିକମ୍ପର ଝଟକାରେ ରାଜଧାନୀ ଦିଲ୍ଲୀ ସମେତ ଦୋହଲିଲା ସମଗ୍ର ଉତ୍ତର ଭାରତ । ପଞ୍ଜାବ, ହିମାଚଳପ୍ରଦେଶ, ହରିୟାଣା ଓ କାଶ୍ମୀରରେ ତ୍ରୀବ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ପାକିସ୍ତାନରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଭୂକମ୍ପର ତ୍ରୀବତା ରିକ୍ଟର ସ୍କେଲରେ ୬.୩ ରହିଥିବା ବେଳେ ରାସ୍ତାଘାଟ ଫାଟି ଆଁ କରିଛି । ଭୂକମ୍ପ ଝଟକାରେ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଖିନଭିନ୍ ହୋଇଯାଇଛି । କେଉଁଠି ରାସ୍ତା ଧସି ଯାଇଛି ତ ପୁଣି କେଉଁଠି ବଡ ବଡ କୋଠା ଭାଙ୍ଗି ଧୂଳିସାତ୍ ହୋଇଛି । ଏପରିକି ରାସ୍ତା ଉପରେ ଥିବା ଗାଡି ଗୁଡିକ ମଧ୍ୟ ମାଟିର ଆଁରେ ଫଶି ରହିଛି । ଭୂକମ୍ପରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ।

ଭୂକମ୍ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକିସ୍ତାନର ମୀରପୁର । ଏଠାରେ ବଡ ବଡ ବିଲ୍ଡିଂ ଗୁଡିକ ମାଟିରେ ମିଶିଯାଇଥିବା ବେଳେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜଣାପଡିନାହିଁ । ଲାହୋର ଠାରୁ ୧୭୩ କିଲୋମିଟର ଦୂର ଜାଟଲାନ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏହାର ଭୟଙ୍କର ପ୍ରଭାବ ପଡିଛି । ତେବେ ଭାରତରେ ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ସେତେଟା କ୍ଷୟକ୍ଷତି ହୋଇନାହିଁ । ଏହାପୂର୍ବରୁ ୨୦୦୫ରେ ଜମ୍ମୁ-କାଶ୍ମୀରରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ୭.୬ ତ୍ରୀବତାର ଏହି ଭୂକମ୍ପରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ ।