ମାଡି ଆସୁଛି ବଡ ବିପଦ! ଦିଲ୍ଲୀରେ ହୋଇପାରେ ଭୟଙ୍କର ଭୂମିକମ୍ପ ? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜର ସତ କଣ

52

ଦିଲ୍ଲୀରେ ହୋଇପାରେ ଭୟଙ୍କର ଭୂମିକମ୍ପ । ପ୍ରକୃତି ରଚିବ ଧ୍ୱଂସର ତାଣ୍ଡବ । ଛାରଖାର ହୋଇଯିବ ଭାରତର ରାଜଧାନୀ । ଦିଲ୍ଲୀବାସୀଙ୍କୁ ଆତଙ୍କିତ କରିଦେବା ଭଳି ଏପରି ଏକ ମେସେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯଦି ସତରେ ପ୍ରକୃତି ଏଭଳି ଧ୍ୱଂସର ତାଣ୍ଡବ ରଚିବ ତେବେ ଭାରତ ମାନଚିତ୍ରରୁ ହଜିଯିବ ଦିଲ୍ଲୀ । ଏହି ଭୂମିକମ୍ପ ପୂରା ଭାରତକୁ ଦୋହଲାଇ ଦେବା ସହ ନେଇଯାଇ ପାରେ କୋଟି କୋଟି ଲୋକଙ୍କର ଜୀବନ । କେବଳ ଦିଲ୍ଲୀ ନୁହେଁ, ପଞ୍ଜାବ, ହରିୟାଣା, ରାଜସ୍ଥାନରୁ ବିହାର, ଜାମ୍ମୁ-କାଶ୍ମୀରରୁ ତାମିଲନାଡୁ ଏପରିକି ପାକିସ୍ତାନରେ ମଧ୍ୟ ଏହାର ପ୍ରଭାବ ପଡିବ । ଏହି ଭୂମିକମ୍ପ ଭାରତର ଅର୍ଥନୈତିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେବ ।

କଣ ରହିଛି ଭାଇରାଲ ମେସେଜର ସତ ?
ଇଂରାଜୀରେ ଲେଖା ହୋଇଥିବା ଏହି ମେସେଜରେ କୁହାଯାଇଛି ଯେ, ନାସା ମୁତାବକ ଦିଲ୍ଲୀରେ ଏକ ଭୟଙ୍କର ଭୂମିକମ୍ପ ହେବ । ଏପ୍ରିଲ ୭ରୁ ୧୫ ତାରିଖ ମଧ୍ୟରେ ହୋଇପାରେ ବଡ ଧରଣର ଭୂମିକମ୍ପ । ଏହି ଭୟଙ୍କର ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୯.୧ ବା ୯.୨ ହୋଇପାରେ । ଭୂମିକମ୍ପର କେନ୍ଦ୍ର ଗୁରୁଗ୍ରାମରେ ରହିବ ବୋଲି ଅନୁମାନ କରାଯାଉଛି । ବିଶ୍ୱ ଇତିହାସରେ ଏହା ଦ୍ୱିତୀୟ ସର୍ବବୃହତ ଏବଂ ଭୟଙ୍କର ଭୂମିକମ୍ପ ହେବାକୁ ଯାଉଛି । ଏହା ସହ ଏହି ମେସେଜକୁ ଅଧିକରୁ ଅଧିକ ଫରୱାର୍ଡ କରିବାକୁ ହ୍ୱାଟସଆପରେ ପରାମର୍ଶ ଦିଆଯାଉଛି । ଭୂମିକମ୍ପ ସମ୍ପର୍କରେ ଅଧିକ ବିବରଣୀ ପାଇଁ www.nasaalert.com ରେ ଲଗଇନ୍ କରିବାକୁ ମେସେଜରେ କୁହାଯାଇଛି । ଦିଲ୍ଲୀରେ ଥିବା ବନ୍ଧୁ ଓ ସମ୍ପର୍କୀୟ ମାନଙ୍କୁ ସଚେତନ କରିବା ସହ ଦିଲ୍ଲୀ ଛାଡି ପଳାଇଯିବାକୁ ପରାମର୍ଶ ଦେବା ପାଇଁ ମେସେଜରେ ଉଲ୍ଲେଖ କରାଯାଇଛି । ଏହି ଭୟଙ୍କର ମେସେଜଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତରେ ଭୟର ବାତାବରଣ ଖେଳିଯାଇଛି ।

ତେବେ ଖୋଳତାଡ ପରେ ଏହା ଏକ ଫେକ୍ ମେସେଜ ବୋଲି ଜଣାପଡିଛି । ବିଶେଷଜ୍ଞଙ୍କ ମତ ଅନୁସାରେ, ଏପରି କିଛି ବୈଜ୍ଞାନିକ ପଦ୍ଧତି ବାହାରି ନାହିଁ, ଯାହା ଭୂମିକମ୍ପର ପୂର୍ବାନୁମାନ କରିପାରିବ । ତେଣୁ ଏହା ସମୂର୍ଣ୍ଣ ମିଛ ବୋଲି ଜଣା ପଡିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଗୁଜବ ମେସେଜରେ ନାସାର ଯେଉଁ ୱେବସାଇଟ୍ ଠିକଣା ଦିଆଯାଇଛି ତାହା ମଧ୍ୟ ଭୁଲ । ନାସାର ପ୍ରକୃତ ୱେବସାଇଟ୍ ହେଉଛି https://www.nasa.gov/ । ତେଣୁ ଏହି ଭାଇରାଲ ଭୂମିକମ୍ପକୁ ନେଇ ଆଦୌ ଭୟଭୀତର ଆବଶ୍ୟକତା ନାହିଁ ବୋଲି କିଛି ବିଶେଷଜ୍ଞ କହିଛନ୍ତି ।
ସୌଜନ୍ୟ : Zee News