ଆଫଗାନିସ୍ତାନ ଭୂମିକମ୍ପର ବିକଳ ଚିତ୍ର , ୯୫୦ ଜଣଙ୍କ ମୃତ୍ୟୁ ସହ ୬୦୦ ରୁ ଅଧିକ ଗୁରୁତର

224

କନକ ବ୍ୟୁରୋ : ଆଫଗାନିସ୍ତାନରେ ଭୂମିକମ୍ପ ତାଣ୍ଡବ ରଚିଛି । ଗତକାଲି ମଧ୍ୟରେ ରାତିରେ ହୋଇଥିବା ଭୂମିକମ୍ପରେ ଏପର୍ଯ୍ୟନ୍ତ ୯୫୦ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୬୧୦ ଜଣରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିପଦ ପ୍ରସମନ ବିଭାଗର ଉପ ମନ୍ତ୍ରୀ ମୌଲବୀ ଶରଫୁଦ୍ଦିନ ଏହି ସୂଚନା ଦେଇଛନ୍ତି ।

କେବଳ ଆଫଗାନିସ୍ତାନ ନୁହେଁ ଭୂକମ୍ପର ପ୍ରଭାବ ବି ପାକିସ୍ତାନରେ ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ବୋଲି କୁହାଯାଉଛି । ୟୁ ଏସ ଜିୟୋଲୋଜିକାଲ ସର୍ବେ ମୁତାବକ ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଦକ୍ଷୀଣପୂର୍ବ ଅଞ୍ଚଳ ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ମୁତାବକ ଭୂକମ୍ପ କାରଣରୁ ଆଫଗାନିସ୍ତାନରେ ଏପର୍ଯ୍ୟନ୍ତ ୯୫୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୬୧୦ ଜଣ ଆହତ ହୋଇଛନ୍ତି । ଏହି ଭୂକମ୍ପ ଫଳରେ ସବୁଠାରୁ ଅଧିକ ପାକଟିକା ଓ ଖୋସ୍ତ ଅଞ୍ଚଳ ପ୍ରଭାବିତ ହୋଇଛି ।

ସେପଟେ ପାକିସ୍ତାନ ଗଣମାଧ୍ୟମର ସୂଚନା ମୁତାବକ ଇସଲାମାବାଦ ସମେତ ଅନ୍ୟ ସହରମାନଙ୍କରେ ଅନୁଭୂତ ହୋଇଛି । ଏହା ପୂର୍ବରୁ ଶୁକ୍ରବାର ଦିନ ବି ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ଇସଲାମାବାଦ, ପେଶାୱର, ରାୱଲପିଣ୍ଡି ଓ ମୁଲତାନ ଅଞ୍ଚଳ ରେ ପ୍ରଭାବ ପଡିଥିଲା ।