ଗେଣ୍ଡୁଫୁଲ ଚାଷରୁ ମିଳୁଛି ରୋଜଗାର: କଲିକତାରୁ ଫୁଲ ଚାରା କିଣି ଚାଷ କରୁଛନ୍ତି ବାଲେଶ୍ୱର ବାହନଗା ଅଂଚଳର ଦମ୍ପତି

287

କନକ ବ୍ୟୁରୋ: କିଛି ନୂଆ କରିବାର ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ସଫଳତା ନିଶ୍ଚୟ ମିଳିଥାଏ । ଏହାକୁ ପ୍ରମାଣିତ କରିଛନ୍ତି ବାଲେଶ୍ୱର ବାହାନଗା ବ୍ଲକ ପଣପଣା ଗାଁର ରବିନ୍ଦ୍ର ଜେନା ଓ ତାଙ୍କ ପତ୍ନୀ । ୟୁଟ୍ୟୁବ ଦେଖି ଚାଷ କରି ସଫଳତା ପାଇଛନ୍ତି ଉଭୟ ଦମ୍ପତି ।

ବାଲେଶ୍ୱର ଜିଲ୍ଲା ବାହନଗା ବ୍ଲକ ପଣପଣା ଗାଁର ରବୀନ୍ଦ୍ର ଜେନା ଓ ଅମିତା ଜେନା । ସ୍ୱାମୀ-ସ୍ତ୍ରୀ ଦୁହେଁ ଅକ୍ଳାନ୍ତ ପରିଶ୍ରମ କରି ଗେଣ୍ଡୁ ଫୁଲ ଚାଷ କରିଛନ୍ତି । କଲିକତାରୁ ୧୧ଶହ ଗେଣ୍ଡୁଫୁଲ ଚାରା କିଣି କ୍ଷେତରେ ଲଗାଇଛନ୍ତି । ଗଛର ଉପଯୁକ୍ତ ଯତ୍ନ ନେବା ପରେ ୩ରୁ ୪ ମାସ ପରେ ଗଛରୁ ଫୁଲ ତୋଳା ହେଉଛି । ଏହି ଫୁଲକୁ ସେମାନେ ବାହନଗା, ସୋର, ବାଲେଶ୍ୱର, ଖନ୍ତାପଡ଼ା ବଜାରରେ ବିକ୍ରି କରୁଛନ୍ତି । ସପ୍ତାହକୁ ୪୦ରୁ ୫୦ କିଲୋ ଉତ୍ପାଦନ ହେଉଥିବା ବେଳେ ମାସକୁ ୧୨ରୁ ୧୩ ହଜାର ଟଙ୍କା ରୋଜଗାର କରୁଛନ୍ତି ରବିନ୍ଦ୍ର ଓ ଅମିତା ।

ରବିନ୍ଦ୍ରଙ୍କ ପରିବାର କରିଲେ ପତ୍ନୀ ଅମିତା ଓ ପୁଅ ଓମ୍ । ପ୍ରତିଦିନ ୨ରୁ ୩ ଘଂଟା ପରିଶ୍ରମ କରି ଫୁଲ ତୋଳିବାରେ ଲାଗିପଡୁଛନ୍ତି ପୁରା ପରିବାର । ଅର୍ଡର ମୁତାବକ ଫୁଲ ସଂଗ୍ରହ କରି କିଲୋ ପିଛା ୫୦ରୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି । ସ୍ଥାନୀୟ ବଜାର ସହ ବିଭିନ୍ନ ମନ୍ଦିରକୁ ମଧ୍ୟ ଏହି ଫୁଲ ବିକ୍ରି ପାଇଁ ପଠାଉଛନ୍ତି । ଗେଣ୍ଡୁ ଫୁଲ ବ୍ୟତିତ ବାଡ଼ିରେ ମକା, ପନିପରିବା, ମାଛ ଭଳି ବିଭିନ୍ନ ପ୍ରକାରର ଚାଷକରି ବେଶ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି ।

ଫୁଲ ଚାଷ ଏକ ଅର୍ଥକାରୀ ଚାଷ ହୋଇଥିବା ବେଳେ କମ୍ ଖର୍ଚ୍ଚ କରି ଏଥିରୁ ଭଲ ରୋଜଗାର ମିଳୁଛି । କମ୍ ସମୟରେ ମଧ୍ୟ ଭଲ ଉତ୍ପାଦନ ହେଉଛି । ପୂର୍ବରୁ ବ୍ୟବସାୟୀ ମାନେ ପୂଜା ପର୍ବାଣୀରେ କଲିକତାରୁ ଫୁଲ କିଣି ବିକ୍ରି କରୁଥିଲେ । ହେଲେ ଏବେ ସ୍ଥାନୀୟ ଅଂଚଳରେ ମିଳୁଥିବାରୁ ବ୍ୟବସାୟୀ ମାନେ ଏମାନଙ୍କ ଠାରୁ ଫୁଲ କିଣି ନେଉଛନ୍ତି । ଗ୍ରାମାଂଚଳର ଲୋକମାନେ ମଧ୍ୟ ଜମି ନିକଟରୁ ଫୁଲ କିଣି ନେଉଛନ୍ତି । ଯାହାଦ୍ୱାରା ଉପକୃତ ହେଉଛନ୍ତି ରବିନ୍ଦ୍ର ଓ ଅମିତା ।