ସାହାଯ୍ୟ ଅପେକ୍ଷାରେ ଶୁଭେନ୍ଦୁ । ବିଛଣାରେ ପଡି ପଡି ବିତୁଛି ଜୀବନ । ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା ।

162

କନକ ବ୍ୟୁରୋ: ଗୋଟିଏ ଦୁର୍ଘଟଣା ଜୀବନକୁ ବଦଳେଇଦେଲା । ଗୋଟିଏ ଦୁର୍ଘଟଣା ପରିବାରର ଗୋଟିଏ ବୋଲି ପୁଅକୁ ଅକର୍ମଣ୍ୟ ସଜେଇଦେଲା । ତେବେ ଯେଉଁ ପୁଅ ଦିନ ବାପା ମାଆଙ୍କ ଦୁଃଖ ଦୂର କରିବ ବୋଲି ଭାବୁଥିଲା, ପରିବାର ପାଇଁ କିଛି କରିବ ବୋଲି ଚିନ୍ତା କରୁଥିଲା । ସେ ଏବେ ସେହି ପରିବାର ପାଇଁ ସାଜିଛି ବଡ ବୋଝ । ନା କୁଆଡେ ଯାଇପାରୁଛି, ନା କିଛି କରିପାରୁଛି । ଏମିତି ଖଟରେ ପଡି ପଡି ବିତୁଛି ଶୁଭେନ୍ଦୁଙ୍କ କଷ୍ଟମୟ ଜୀବନ ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଚମ୍ପାପୁର ଗାଁ । ଝାଟି ମାଟିର ଘର ଆଉ ସବୁୁଠି ଅଭାବ ଆଉ ଅସହାୟତାର ଚିତ୍ର । ଶୁଭେନ୍ଦୁ ବାରିକ, ବୟସ କହିଲେ ୨୩ ବର୍ଷ । ଯେଉଁ ବୟସରେ ପରିବାର ପାଇଁ ସେ କାମ କରିବା କଥା, ସେ ବୟସରେ ଗୋଟିଏ ଦୁର୍ଘଟଣା ତାଙ୍କ ଜୀବନକୁ ପୂରାପୂରି ବଦଳେଇ ଦେଇଛି । ତିନି ମାସ ତଳେ ବାଇକରୁ ପଡି, ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିବାବେଳେ, ଏବେ ପୂରାପୂରି ଶଯ୍ୟାଶାୟୀ ହୋଇପଡିଛନ୍ତି ଶୁଭେନ୍ଦୁ ।

ଶୁଭେନ୍ଦୁଙ୍କ ବାପା ବିଶ୍ୱାମିତ୍ର ବୃତ୍ତିରେ ଜଣେ ସେଲୁନ୍ ଦୋକାନୀ । ଦୋକାନରୁ ଯାହା ଯେତିକି ରୋଜଗାର ହେଉଥିଲା, ସେଇଥିରେ ତାଙ୍କ ପରିବାର ଚଳୁଥିଲା । ହେଲେ ପୁଅର ଅଚାନକ ଏ ଦୁର୍ଘଟଣା ତାଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି । ଏବେ ଶୁଭେନ୍ଦୁଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର ଥିବାବେଳେ, ସରକାରୀ ସାହାଯ୍ୟ ଅପେକ୍ଷାରେ ଅଛନ୍ତି ଶୁଭେନ୍ଦୁ ବାରିକ । ହାତରେ ଟଙ୍କା ପଇସା ନଥିବାବେଳେ, କେମିତି ପୁଅର ଚିକିତ୍ସା କରିବେ , ତାକୁ ନେଇ ଚିନ୍ତାରେ ଶୁଭେନ୍ଦୁଙ୍କ ବାପା ଆଉ ମାଆ । ଘରର ଯାହା ଯେତିକି ସଞ୍ଚୟ ଥିଲା, ସେ ସବୁ ଖର୍ଚ୍ଚ ହେଇ ସାରିଥିବାବେଳେ, ଏବେ ପୁଅର ଜୀବନ ବଞ୍ଚେଇବାକୁ ଶେଷ ସାହାରା ପାଲଟିଛି ସରକାରୀ ସାହାଯ୍ୟ ।

ଶୁଭେନ୍ଦୁଙ୍କ ଚିକିତ୍ସା ପାଇଁ ଏବେ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । ତେବେ ଆପଣ ମଧ୍ୟ ଶୁଭେନ୍ଦୁଙ୍କୁ ନିଜ ଛୋଟିଆ ସାହାଯ୍ୟ ଦେଇପାରିବେ । ଲେଖିରଖନ୍ତୁ, ଶୁଭେନ୍ଦୁଙ୍କ ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ ।

  • ନାମ – ଶୁଭେନ୍ଦୁ ବାରିକ
  • ପିତା – ବିଶ୍ୱାମିତ୍ର ବାରିକ
  • ଆକାଉଣ୍ଟ ନମ୍ବର – ୩୪୪୮୦୧୦୦୦୦୦୨୨୯୨
  • ଆଇଏଫଏସସି କୋଡ୍ – IOBA0003448
  • ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍