କନକ ବ୍ୟୁରୋ : ଏବେ ଲୋକଙ୍କ ଜୀବନରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି ସୋସିଆଲ ମିଡିଆ । ଲୋକମାନେ ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟର ଓ ୟୁଟ୍ୟୁବ ଭଳି ସୋସିଆଲ ମିଡିଆରେ ଦୈନିକ ଅନେକ ସମୟ ବିତାଉଛନ୍ତି । ଏହାକୁ ନଜରରେ ରଖି ଅପଟାଇମ୍ ଆପ୍ ନାମକ ଏକ କମ୍ପାନୀ ଅଜବ ଘୋଷଣା କରିଛି ।

Advertisment

ଅପଟାଇମ୍ ଆପର ଘୋଷଣା ମୁତାବକ ଯଦି କୌଣସି ବ୍ୟକ୍ତି ଦୁଇମାସ ପାଇଁ ନିଜ ମୋବାଇଲରୁ ସୋସିଆଲ ମିଡିଆର ବିଭିନ୍ନ ଆପକୁ ଡିଲିଟ କରି ସୋସିଆଲ ମିଡିଆ ଛାଡିଦେବେ ତେବେ କମ୍ପାନୀ ତରଫରୁ ସଂପୃକ୍ତ ବ୍ୟକ୍ତିଙ୍କୁ ୧.୫ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ମିଳିବ । ମୁଖ୍ୟତ ଏଭଳି ଘୋଷଣା ପଛରେ କମ୍ପାନୀର ଏକ ମହତ୍ୱ ଉର୍ଦ୍ଦେଶ୍ୟ ରହିଛି । କମ୍ପାନୀ ଜାଣିବାକୁ ଚାହୁଁଛି କି, ସୋସିଆଲ ମିଡିଆ ଛାଡିବା ପରେ ସଂପୃକ୍ତ ବ୍ୟକ୍ତିର ଆତ୍ମ ବିଶ୍ୱାସ ଉପରେ କିଭଳି ପ୍ରଭାବ ପଡୁଛି ।

ଏନେଇ କମ୍ପାନୀ ତରଫରୁ ଏକ ଷ୍ଟଡି ଆରମ୍ଭ କରାଯାଇଛି । ଅଧ୍ୟୟନରେ ସେହି ଲୋକମାନଙ୍କୁ ସାମିଲ କରାଯିବ ଯେଉଁମାନେ ସୋସିଆଲ ମିଡିଆ ଛାଡିଛନ୍ତି । କମ୍ପାନୀ ତରଫରୁ କୁହାଯାଇଛି କି ଏହା କରିବା ପରେ ଜଣାପଡିବ କି ଲୋକମାନେ ସୋସିଆଲ ମିଡିଆରେ ଯେତିକି ସମୟ ଦେଉଛନ୍ତି ସୋସିଆଲ ମିଡିଆ ଛାଡିବା ପରେ ଲୋକମାନେ ସେହି ସମୟରେ କଣ କରୁଛନ୍ତି ।

କହିରଖୁ କି ଏବେ ସମୟରେ ବିଶେଷ କରି ଯୁବପୀଢି ସୋସିଆଲ ମିଡିଆକୁ ଜୀବନର ଏକ ଅଙ୍ଗ ଭଳି ବ୍ୟବହାର କରୁଛନ୍ତି । ସାଂଗ ସାଥୀ, ବନ୍ଧୁ ବାନ୍ଧବ ଓ ନିଜ ଜୀବନର ଅନେକ କାମକୁ ସେମାନେ ସୋସିଆଲ ମିଡିଆ ସହାୟତାରେ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଫଳରେ ପ୍ରତିଟି ଲୋକ ମଧ୍ୟରେ ସଂପର୍କର ଦୂରତା ଦେଖିବାକୁ ମିଳିଛି । ଏହାସହ ଦୀର୍ଘ ସମୟ ଧରି ମୋବାଇଲ ବ୍ୟବହାର କରିବା ଫଳରେ ବିଭିନ୍ନ ରୋଗ ସହ ମଣିଷ ମାନସିକତାର ପରିବର୍ତ୍ତ ଓ ଉଦାସୀନତା ବଢିବାରେ ଲାଗିଛି । ଏସବୁକୁ ନଜରରେ ରଖି କମ୍ପାନୀ ତରଫରୁ ଏଭଳି ପ୍ରୟାସ କରାଯାଇଛି କି ସୋସିଆଲ ମିଡିଆ ଛାଡିବା ପରେ ଏହାର ପ୍ରଭାବ ଲୋକଙ୍କ ଉପରେ କିଭଳି ପଡୁଛି ତାହା ଉପରେ ଏକ ଅଧ୍ୟୟନ କରିବାକୁ ଚାହୁଁଛି କମ୍ପାନୀ