ସାଧାରଣ ନିର୍ବାଚନ ଆଗୁଆ ହେବା ନେଇ ଜୋର ଧରିଲା କଳ୍ପନା ଜଳ୍ପନା : ନବୀନ କହିଲେ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ

26

କନକ ବ୍ୟୁରୋ : ଆଗୁଆ ନିର୍ବାଚନ ନେଇ ଜୋର ଧରିଛି କଳ୍ପନା ଜଳ୍ପନା । ନିର୍ବାଚନ କମିସନ ୨୦୧୮ ସେପ୍ଟେମ୍ବର ସୁଦ୍ଧା ଏକାଠି ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସରିଯିବ କହିବା ପରେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ନିର୍ବାଚନକୁ ସାମନା କରିବାକୁ ବିଜେଡି ପ୍ରସ୍ତୁତ । ଜାତୀୟ ସ୍ତରରେ କଂଗ୍ରେସ ନେତାମାନେ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

ଭାରତର ନିର୍ବାଚନ କମିସନର ଓପି ରାୱତ ୨୦୧୮ ସେପ୍ଟେମ୍ବର ସୁଦ୍ଧା ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ହୋଇଯିବୁ ବୋଲି କହିବା ପରେ ଆଗୁଆ ନିର୍ବାଚନ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଏପଟେ ଓଡ଼ିଶାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।

ଆସନ୍ତାବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବ । ସେପଟେ ୨୦୧୯ରେ ଓଡ଼ିଶା, ଆନ୍ଧ୍ର ଓ ତେଲେଙ୍ଗାନାରେ ହେବ ବିଧାନସଭା ନିର୍ବାଚନ । କୁହାଯାଉଛି ମୋଦି ସରକାର ନିର୍ବାଚନର ସଂସ୍କାର ଆଣିବା ପାଇଁ ଏହି ଛଅଟି ଯାକ ରାଜ୍ୟ ସହ ଲୋକସଭା ନିର୍ବାଚନ କରିବା ପାଇଁ ସ୍ଥିର କରିପାରନ୍ତି । ସେପଟେ ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା କହିଛନ୍ତି, ଆଗୁଆ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି । କିନ୍ତୁ ସିପିଏମ ନେତା ସୀତାରାମ ୟେଚୁରୀ କହିଛନ୍ତି, ଏକାଠି ନିର୍ବାଚନ କରିବା ବାସ୍ତବବାଦୀ ପଦକ୍ଷେପ ନୁହେଁ ।