କନକ ବ୍ୟୁରୋ : ପଦ୍ମପୁର ଓ ଧାମନଗର ଉପନିର୍ବାଚନ ପରେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ରହିଛି । ଆଗୁଆ ନିର୍ବାଚନ ହେବା ଚର୍ଚ୍ଚା ବି ହେଉଛି । ଆଉ ଏତିକି ବେଳେ ଉଭୟ ବିଜେଡି ଓ ବିଜେପିର ଛାମୁଆ ନେତା ଯେଉଁଭଳି ଭାବେ ମଇଦାନକୁ ଓହ୍ଳାଉଛନ୍ତି, ରାଜନୈତିକ କାର୍ଯ୍ୟକ୍ରମ ରଖୁଛନ୍ତି ତାହା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।
ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ୧୪-୧୫ ମାସ ଅଛି, କିନ୍ତୁ ରାଜ୍ୟ ରାଜନୀତିରେ ଏବେ ଠାରୁ ସରଗରମ ହୋଇଉଠିଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାକୁ ଘନ ଘନ ଗସ୍ତ କରୁଛନ୍ତି, ଏପଟେ ମୁଖ୍ୟମନ୍ତ୍ରୀ ଜିଲ୍ଲାଗୁଡିକୁ ମାରାଥନ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଭେଟି ଦେଉଛନ୍ତି । ଠିକ୍ ଯେମିତି ନିର୍ବାଚନର କିଛି ମାସ ପୂର୍ବରୁ ବାତାବରଣ ସୃଷ୍ଟି ହୁଏ, ସେହିଭଳି ବାତାବରଣ ଏବେ ରାଜ୍ୟରେ ଅନୁଭୂତ ହେଉଛି ।
ଧାମନଗର ଓ ପଦ୍ମପୁର ନିର୍ବାଚନ ପରେ ରାଜ୍ୟରେ ଜମିଉଠିଛି ରାଜନୈତିକ ମାହୋଲ । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଗୁଆ ନିର୍ବାଚନ ହେବା ସଂକେତ ପରେ ଏହି ଚର୍ଚ୍ଚା ବଢ଼ିବାରେ ଲାଗିଛି । ବିଜେଡି ୧୨୫ର ନାରା ଦେଇ ଯେକୌଣସି ମୁହୁର୍ତରେ ନିର୍ବାଚନ ହେଲେ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ଦଳୀୟ ନେତା କହୁଛନ୍ତି । ବିଜେଡି ଅନ୍ଦର ମହଲର ସୂଚନା ଅନୁସାରେ ଦଳ କାହାକୁ କେଉଁ ଜାଗାରୁ ପ୍ରାର୍ଥୀ କରିବ ସେନେଇ ଏବେଠାରୁ ସର୍ଭେ କାମ ଆରମ୍ଭ କରିଦେଇଛି । ଏପରିକି ପ୍ରତିଷ୍ଠା ଦିବସରୁ ଦଳ ଆଗାମୀ ନିର୍ବାଚନର ପ୍ରସ୍ତୁତି ଆରମ୍ଭ କରି ଦେଇଛି । କିନ୍ତୁ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି. ନିକଟରେ ବାଲେଶ୍ୱର, ଅନୁଗୁଳ ଜିଲ୍ଲା ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଭିତି ପ୍ରସ୍ତର କରୁଛନ୍ତି । ଆଗାମୀ ଦିନରେ ୩୦ ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ଏପଟେ ଓଡ଼ିଶା ଉପରେ ବଢ଼ିଯାଇଛି କେନ୍ଦ୍ରମନ୍ତ୍ରୀଙ୍କ ଫୋକସ । ଗୁରୁବାର ତିନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ ଅନଗୁଳ ଓ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଉ ତିନି ମାସ ଭିତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨ ଥର ଆସିଲେଣି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଓଡ଼ିଶାକୁ ଆଣିବା କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ଅନ୍ଦରମହଲରୁ ଜଣାପଡିଛି । ଅର୍ଥାତ ବିଜେପି ବି ନିର୍ବାଚନ ମାହୋଲ ବନାଉଛି ।
୨୦୨୩ରେ ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବଡ଼ ବଡ଼ ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ସେହି ସମୟରେ ଓଡ଼ିଶା ବିଧାନସଭା ନିର୍ବାଚନ ହେବ କି, ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ନଜର ପକାଇବା ,
କାହିଁକି ହେଉଛି ଆଗୁଆ ନିର୍ବାଚନ ଚର୍ଚ୍ଚା?
ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ବିଜୟ ଯୋଗୁଁ ଉତ୍ସାହିତ ଅଛି ବିଜେଡି
ସାଧାରଣ ନିର୍ବାଚନରେ ମୋଦୀଙ୍କ ହାୱା ବଡ଼ ଫ୍ୟାକ୍ଟର ହୋଇଥିବାରୁ ଆଗୁଆ ନିର୍ବାଚନ ବିଜେଡିକୁ ଲାଭ ଦେଇପାରେ
ବିରୋଧୀଙ୍କ ଅପେକ୍ଷା ତୃଣମୂଳ ସ୍ତରରେ ବିଜେଡିର ସଂଗଠନ ବେଶ ଆଗରେ ରହିଛି
Follow Us