କନକ ବ୍ୟୁରୋ : କେବଳ ପୁରୀରେ ହେବ ରଥଯାତ୍ରା । ପୁରୀ ବ୍ୟତିତ ଅନ୍ୟସ୍ଥାନରେ ରଥଯାତ୍ରା କରାଇବା ପ୍ରସଙ୍ଗରେ ହସ୍ତକ୍ଷେପ କଲେ ନାହିଁ ହାଇକୋର୍ଟ । ପୁରୀକୁ ଛାଡି ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ରାଜ୍ୟ ସରକାର ଶୁଣାଇ ଦେଇଛନ୍ତି ।
କରୋନା କଟକଣା ମାନି ପୁରୀ ଭଳି, କେନ୍ଦ୍ରାପଡା ବଳଦେବ ଜୀଉ ଓ ବରଗଡ ଭଟଲିରେ ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ପୁରୀରେ ବିନା ଭକ୍ତରେ ରଥଯାତ୍ରା ହେବ, ଏହା ବ୍ୟତିତ୍ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ସରକାର ଘୋଷଣା କରିବା ପରେ ଅନେକ ସ୍ଥାନରେ ରଥଯାତ୍ରା କରିବାକୁ ଦାବି ହୋଇଛି । ଏନେଇ ହାଇକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା ।
ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ମାମଲା ସୁପ୍ରିମକୋର୍ଟକୁ ଯିବ ବୋଲି କହିଛନ୍ତି ଆବେଦନକାରୀ ଆଇନଜୀବୀ । ଧର୍ମାନୁଷ୍ଠାନ ଭିତରେ ବିଭେଦ ସୃଷ୍ଟି କରିବା ଆଇନ୍ ସମ୍ମତ ନୁହେଁ ବୋଲି କହିଛନ୍ତି ଆଇନଜୀବୀ ଅକ୍ଷୟ ପାଣ୍ଡେ । ବଳଦେବ ଜିଉଙ୍କ ରଥଯାତ୍ରା କରିବା ପାଇଁ ଅନୁମତି ପ୍ରଦାନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ଅକ୍ଷୟ ପାଣ୍ଡେ ।