ଗଲୱାନରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଆଲୋଚନା । ୬ଘଂଟା ଧରି ଚାଲିଲା ମେଜର ଜେନେରାଲ ସ୍ତରୀୟ ବୈଠକ । ଚୀନ୍ କହିଲା, ସୀମାରେ ସ୍ଥିର ଓ ନିୟନ୍ତ୍ରଣ ରହିଛି ପରିସ୍ଥିତି ।

1,255

କନକ ବ୍ୟୁରୋ: ଗଲୱାନ ଭ୍ୟାଲିରେ ୨୦ ଭାରତୀୟ ଯବାନ ସହିଦ ହେବାପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ସୀମାରେ ଯୁଦ୍ଧ ଭଳି ପ୍ରସ୍ତୁତି କରିବା ପରେ ନରମ ପଡିଛି ଚୀନ । ସୀମାରେ ଭାରତୀୟ ସେନାକୁ ନାଲିଆଖି ଦେଖାଉଥିବା ଚୀନ ଏବେ ଶାନ୍ତି ଚାହୁଁଛି । ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ…

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
– ଦୁହେଁ ଟେଲିଫୋନ ଯୋଗେ କଥାବାର୍ତା ହୋଇଥିବାବେଳେ ସୀମାରେ ଶାନ୍ତି ବଜାର ରଖିବାକୁ ସହମତ ହୋଇଛନ୍ତି
– ବିବାଦୀୟ ଅଂଚଳରେ ଶାନ୍ତି ବଜାୟ ରଖିବା ପାଇଁ ସେନା ଅଧିକାରୀସ୍ତରୀୟ ଆଲୋଚନା ଜାରି ରଖିବାକୁ ଏକମତ ହୋଇଛନ୍ତି

ଚୀନ ସରକାରୀ ଗଣମାଧ୍ୟମର ଏହି ରିପୋର୍ଟ ଅନୁଯାୟୀ, ଭାରତ-ଚୀନ ସୀମା ଏଲଏସିର ଗଲୱାନ ଅଂଚଳରେ ଜୁନ୍ ୧୫/୧୬ ରାତିରେ ଯାହା ଘଟିଗଲା ସେଥିପାଇଁ ଚୀନ ପଶ୍ଚାତାପ କରୁଛି । ଏଭଳି ଘଟଣାର ଯେଭଳି ପୁନରାବୃତି ନହୁଏ ସେଥିପାଇଁ ଉଭୟପକ୍ଷ ଶାନ୍ତି କଥାବାର୍ତା ଜାରି ରଖିବା ଉପରେ ବେଜିଂ ଗୁରୁତ୍ୱ ଦେଉଛି ।

ସୀମାରେ ଏଭଳି ହିଂସାକାଣ୍ଡ ଭାରତ-ଚୀନ ସଂପର୍କରେ ଯେଭଳି ଆଂଚ ନଆଣେ ସେଥିପାଇଁ ଉଭୟ ପକ୍ଷ ପ୍ରୟାସ କରିବାକୁ ଚୀନ ପ୍ରସ୍ତାବ ଦେଇଛି । ହେଲେ ଗୋଟିଏ ପଟେ ଶାନ୍ତି ପ୍ରସ୍ତାବ ଦେଇ, ଅନ୍ୟପଟେ ଦାବି ଛାଡିବାକୁ ରାଜି ହୋଇନାହିଁ ଚୀନ । ଯାହା ତାର ଦୋମୁହାଁ ନୀତିକୁ ଦର୍ଶାଉଛି ।

ସୋମବାର ରାତିରେ ହିଂସାକାଣ୍ଡ ପାଇଁ ଭାରତୀୟ ସେନା ଉସୁକାଇଥିଲା ବୋଲି ଅଭିଯୋଗ କରିଛନ୍ତି ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି । ସେହିପରି ସୀମାରେ ଭାରତର ନିର୍ମାଣକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି । ଚୀନର ଆପତିକୁ ସମ୍ମାନ ଦେଇ ଭାରତ ତାର ନିର୍ମାଣ କାମ ବନ୍ଦ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି । କେବଳ ରାଜନୈତିକ ଅଭିସନ୍ଧି ରଖି ଭାରତୀୟମାନେ କୌଣସି ପଦକ୍ଷେପ ନନେବାକୁ କହିଛି ଚୀନ ।

ଚୀନର ଏଭଳି ସ୍ୱରକୁ ଦେଖିଲେ ଲାଗୁଛି, ମୋଦି ସରକାରଙ୍କ କଠୋର ଆଭିମୁଖ୍ୟରେ ଚିନ୍ତାରେ ପଡିଯାଇଛି ବେଜିଂ । କାରଣ ପାକିସ୍ତାନ ମାଟିରେ ପଶି ଭାରତୀୟ ସେନା ଦୁଇଦୁଇଥର ସର୍ଜିକାଲ ଷ୍ଟ୍ରାଇକ କରିଥିବା ଚୀନ ଦେଖିସାରିଛି ।

ଏହି ରିପୋର୍ଟରେ ଭାରତରୁ ଉଠୁଥିବା ଚୀନ ବିରୋଧୀ ସ୍ୱର ବାବଦରେ ଟିପ୍ପଣୀ କରାଯାଇଛି । ଆଉ ଏହାପଛରେ ଆମେରିକାର ହାତ ଥିବା ଚୀନ ଆଶଙ୍କା କରୁଛି । ଆଉ ଚୀନର ପ୍ରଭାବ କମ୍ କରିବା ପାଇଁ ଆମେରିକା ଭାରତକୁ ବ୍ୟବହାର କରୁଥିବା କୁହାଯାଇଛି । ହେଲେ ଏସୀୟା ମହାଦେଶ ସମେତ ବିଶ୍ୱ ମାନଚିତ୍ରରେ ଭାରତର ଉତଥାନ ଚୀନ ସହାୟତାରେ ହୋଇପାରିବ ବୋଲି ବେଜିଂ ପକ୍ଷରୁ କୁହାଯାଇଛି । ଚୀନ ସିହତ ସୀମା ବିବାଦର ଏକପାଖିଆ ଭାବେ ଭାରତ ସମାଧାନ କରିପାରିବ ନାହିଁ । ତେଣୁ ଚୀନକୁ ଲାଗିରହିଥିବା ପ୍ରାୟ ୨ ହଜାର କିଲୋମିଟର ବ୍ୟାପୀ ସୀମାରେ ଏଭଳି ରକ୍ତାକ୍ତ ସଂଘର୍ଷ ଏଡାଇବାକୁ ପଡିବ । ଆମେରିକା ଭଳି ରାଷ୍ଟ୍ର ଭାରତୀୟଙ୍କ ମନରେ ଚୀନ ବିରୋଧରେ ବିଷ ଭରି ଦେଉଥିବାରୁ ଏଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଛି ବେଜିଂ ।