ଟଙ୍କା ଦେଇ ଟିକା ନେବାକୁ ସରକାରଙ୍କ ‘ଇ-ଭାଉଚର’ ବ୍ୟବସ୍ଥା । ଜାଣନ୍ତୁ ସରକାରଙ୍କ ଏହି ଯୋଜନାରୁ ଆପଣ କେମିତି ଉଠାଇବେ ଲାଭ

406

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣକୁ ରୋକିବାକୁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି । ହେଲେ ଟିକାକରଣ ବେଳେ ଦେଖା ଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସରକାର ଚେଷ୍ଟା କରୁଥିବା ବେଳେ ଘରୋଇ ହସ୍ପିଟାଲରୁ ଟଙ୍କା ଦେଇ ଟିକା ନେବାକୁ ଗରିବ ଲୋକମାନଙ୍କ ପାଇଁ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାକୁ ସରକାର ‘ଇ-ଭାଉଚର ଫର ପ୍ୟାଡ୍ ଭ୍ୟାକ୍ସିନେସନ’ ନାମରେ ନାମିତ କରିଛନ୍ତି । ଏହି ଭାଉଚର ଜରିଆରେ ଗରିବ ଲୋକମାନେ ପ୍ୟାଡ ଭ୍ୟାକ୍ସିନେସନ କରାଇପାରିବେ । ଅର୍ଥାତ କୌଣସି ବି ନନ୍ ଟ୍ରାନ୍ସଫରଏବଲ ଭାଉଚର ଦେଇ ଗରିବ ଲୋକମାନେ ଘରୋଇ ହସ୍ପିଟାଲରୁ ଟିକା ନେଇପାରିବେ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଟିକାକରଣକୁ ପ୍ରୋସାହିତ କରିବାକୁ ସରକାର ଏଭଳି ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଭାଉଚର ଦେଖାଇ ଗରିବ ଲୋକମାନେ ଘରୋଇ ହସ୍ପିଟାଲରୁ ଟିକା ନେଇ ପାରିବେ ।

ଏନେଇ ଭ୍ୟାକ୍ସିନ ପ୍ରଶାସନ ରାଷ୍ଟ୍ରୀୟ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଡ. ବି.କେ ପାଲ କହିଛନ୍ତି କି ଏହି ଯୋଜନା ଏବେ ପ୍ରସ୍ତୁତ ଚାଲିଛି । ଜୁନ ୨୧ ସୁଦ୍ଧା ସରକାର ଏହି ଯୋଜନାକୁ ଲଂଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟପଟେ ଘରୋଇ ହସ୍ପିଟାଲ ପାଇଁ ଗତକାଲି ସରକାର ଟିକାର ମୂଲ୍ୟ ନିର୍ଦ୍ଦାରଣ କରିଛନ୍ତି । ଘରୋଇ ହସ୍ପିଟାଲରେ କୋଭିସିଲ୍ଡ ଟିକାର ଗୋଟିଏ ଡୋଜର ମୂଲ୍ୟ ୭୮୦ ଟଙ୍କା, ସେହିଭଳି ସ୍ପୁଟନିକ୍ –ଭି ୧,୧୪୫ ଟଙ୍କା ଓ କୋଭାକ୍ସିନର ମୂଲ୍ୟ ୧,୪୧୦ ଟଙ୍କା ରଖା ଯାଇଛି । ନିର୍ଦ୍ଧାରିତ ଏହି ଦର ମଧ୍ୟରେ ଟ୍ୟାକ୍ସ ଓ ମେଡିକାଲର ସେବାକର ବି ସାମିଲ ହୋଇଛି ।

ସେପଟେ ପ୍ରଧାନମନ୍ତ୍ରୀ ନୂଆ ଟିକାକରଣ ନୀତି ଘୋଷଣା କରିବା ପରେ ଏହାକୁ ବିରୋଧ କରିଛି କଂଗ୍ରେସ । ସରକାରଙ୍କ ନୂଆ ଟିକାକରଣ ନୀତି ଜୁନ ୨୧ ରୁ ଆରମ୍ଭ ହେବ । କେନ୍ଦ୍ର ସରକାର କହିଛନ୍ତି କି କମ୍ପାନୀ ମାନଙ୍କ ଠାରୁ ୭୫ ପ୍ରତିଶତ ଟିକା ଷ୍ଟକ କିଣିବେ । ଏହା ମଧ୍ୟରୁ ରାଜ୍ୟ ମାନଙ୍କୁ ୨୫ ପ୍ରତିଶତ ମିଳିବ, ଓ ଶେଷ ୨୫ ପ୍ରତିଶତ ଘରୋଇ ହସ୍ପିଟାଲମାନେ ଟିକା କମ୍ପାନୀ ମାନଙ୍କ ଠାରୁ କ୍ରୟ କରିବେ ।