ରାଜ୍ୟ ସରକାରଙ୍କ ଓଡ଼ିଶା ଇଲେକଟ୍ରିକ୍ ଭେହିକିଲ ପଲିସି-୨୦୨୧କୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି । ଅଗଷ୍ଟ ୩୧ରେ ଇଭି ପଲିସି-୨୦୨୧ରେ ସରକାର ମୋହର ମାରିଥିବା ବେଳେ ଘୋଷଣା ଅନୁଯାୟୀ କିନ୍ତୁ ଗ୍ରାହକଙ୍କୁ ରିହାତି ଅଥବା ଅନ୍ୟ ସୁବିଧା ମିଳୁନାହିଁ। ଦୁଇ ଚକିଆ ଇଲେକଟ୍ରିକ୍ ବାଇକ୍( ଇ-୨ ଡବ୍ଲୁ), ତିନି ଚକିଆ ଗାଡି (ଇ-୩ ଡବ୍ଲୁ) ଏବଂ ଚାରି ଚକିଆ ଲାଇଟ ମୋଟର ଭେହିକିଲ( ଇ-୪ ଡବ୍ଲୁ) ଗାଡି କିଣିଲେ ଗ୍ରାହକଙ୍କୁ କ’ଣ ସବୁ ସୁବିଧା ମିଳିବ, ସେ ସଂପର୍କରେ ସରକାର ବିସ୍ତୃତ ଭାବେ ସୂଚନା ଜାରି କରିଛନ୍ତି। କିନ୍ତୁ ଏ ସଂପର୍କିତ ନିର୍ଦ୍ଦେଶନାମା ଆର୍ଟିଓରେ ଏଯାଏ ପହଞ୍ଚି ନଥିବାରୁ ଆର୍ଟିଓରୁ ସେ ସୁବିଧା ମିଳୁନାହିଁ। ଏପଟେ ଗ୍ରାହକମାନେ ଡିଲର୍ଙ୍କୁ ପ୍ରଶ୍ନ କରୁଥିବା ବେଳେ ଅଡୁଆରେ ପଡୁଛନ୍ତି ଡିଲର୍।
ସୂଚନା ଅନୁଯାୟୀ ଆସନ୍ତା ୨୦୨୫ ସୁଦ୍ଧା ମୋଟଗାଡ଼ି ପଞ୍ଜୀକରଣର ୨୦ ପ୍ରତିଶତ ଇ ଭେଇକିଲ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏଥିପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ନୀତି ନିର୍ଦ୍ଧାରଣ କରିଛନ୍ତି। କିନ୍ତୁ ଗ୍ରାହକଙ୍କୁ କିଭଳି ରିହାତି ମିଳିବ, କିଏ ଏ ରିହାତି ଦେବ, ଡିଲର ଦେବେ ନା ସରକାର ସିଧାସଳଖ ଗ୍ରାହକଙ୍କୁ ଦେବେ, ତାହା ଏଯାଏ ସ୍ପଷ୍ଟ ହୋଇ ନଥିବାରୁ ତଳସ୍ତରରେ ଅଡୁଆ ବଢିବାରେ ଲାଗିଛି। ଫଳରେ, ଏବେ ଗାଡ଼ି ବିକ୍ରି କରିବାରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିବା ଡିଲର ଶ୍ରୀନିବାସ ମହାପାତ୍ର କହିଛନ୍ତି। ସରକାର ଏ ନେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମେତ ଓ ଡିଲର୍ମାନଙ୍କୁ ତୁରନ୍ତ ନିର୍ଦ୍ଦେଶାବଳୀ ଜାରି କରିବାକୁ ସେ ମତ ଦେଇଛନ୍ତି। ଡିଲରଙ୍କ କହିବା ଅନୁଯାୟୀ ସରକାର ଇ-ଗାଡ଼ିକୁ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରି ସାରିଥିବା ବେଳେ ଏପଟେ କିନ୍ତୁ ଗାଡି ରେଜିଷ୍ଟ୍ରେସନ ପାଇଁ ଆରଟିଓ ସମସ୍ୟାରେ ପକାଉଛନ୍ତି। ୨୪ ଘଣ୍ଟାରେ ରେଜିଷ୍ଟ୍ରେସନ ହେବା ବଦଳରେ ୧୦/୧୫ ଦିନ ଲାଗି ଯାଉଛି। ଫଳରେ ଗାଡି ଗୁଡିକ ୧୦ ଦିନରୁ ଅଧିକ ସୋ’ ରୁମରେ ପଡ଼ିରହୁଛି।
ସରକାର ଗାଡ଼ି କିଣୁଥିବା ଗ୍ରାହକ, ଗାଡ଼ି ତିଆରି କରୁଥିବା କଂପାନି ଓ ବ୍ୟାଟ୍ରି ତିଆରି କରୁଥିବା କଂପାନିକୁ ପ୍ରୋତ୍ସାହିତ କରିବାପାଇଁ ଯାହା ସବୁ ଘୋଷଣା କରିଥିଲେ, ତାହା ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ସରକାରଙ୍କ ଘୋଷଣା ଅନୁଯାୟୀ ଗାଡ଼ି ଦାମ୍ର ମୋଟ ୧୫ ପ୍ରତିଶତ ରିହାତି ଦିଆଯିବାର ବ୍ୟବସ୍ଥା ହୋଇଛି। ଅର୍ଥାତ ୬୮ ହଜାର ଟଙ୍କା ମଧ୍ୟରେ ଗାଡ଼ି କିଣିଲେ ୫ ହଜାର ଟଙ୍କା, ୧ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ି କିଣିଲେ ୧୦ ହଜାର ଓ ୧ ଲକ୍ଷ ୬୩ ହଜାର ମୂଲ୍ୟର ଗାଡ଼ି କିଣିଲେ ୧୨ ହଜାର ଟଙ୍କା ରିହାତି ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ସେହିଭଳି ଇ-କାର ଓ ଇ-ବସ୍ ପାଇଁ ମଧ୍ୟ ଆକର୍ଷଣୀୟ ରିହାତି ରହିଛି। ସରକାର ଶତ ପ୍ରତିଶତ ସୁଧ ଛାଡରେ ଋଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଇ-ଭେହିକିଲ୍ ପାଇଁ ସ୍ବତନ୍ତ୍ର ଚାର୍ଜିଂ ପଏଣ୍ଟ ନିର୍ମାଣ କରାଯିବ, ଚାର୍ଜିଂ ପଏଣ୍ଟ ଗୁଡିକୁ ସ୍ବତନ୍ତ୍ର ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରାଯାଇଛି। କିନ୍ତୁ ଘୋଷଣାର ୪୦ ଦିନ ପରେ ବି ଏସବୁ କାର୍ଯ୍ୟକାରୀ ହୋଇପାରି ନଥିବା ବେଳେ ଗ୍ରାହକମାନେ ଡିଲରମାନଙ୍କୁ ସନ୍ଦେହ କରୁଛନ୍ତି। ରିହାତି ମିଳି ପାରୁ ନ ଥିବାରୁ ଅନେକ ଗ୍ରାହକ ଗାଡ଼ି ନ କିଣି ଫେରୁଛନ୍ତି।
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧିକାରୀ ରାଜେଶ ମାରାଣ୍ଡିଙ୍କ କହିବା ଅନୁଯାୟୀ ପଞ୍ଜୀକରଣରେ ସେଭଳି କିଛି ସମସ୍ୟା ନାହିଁ। କାଗଜପତ୍ର ଠିକ୍ ଥିଲେ ୨୪ ଘଣ୍ଟା ଭିତରେ ପଞ୍ଜୀକରଣ କରି ଦିଆଯାଉଛି। କାଗଜପତ୍ର ସମସ୍ୟା ଥିଲେ ଏହାକୁ ଡିଲର୍ଙ୍କୁ ଜଣାଇ ଦିଆଯାଉଛି। ନିୟମ ଅନୁଯାୟୀ ୨୫ କିମିରୁ ଅଧିକ ବେଗରେ ଯାଉଥିବା ସମସ୍ତ ଗାଡ଼ି ଗୁଡିକର ପଞ୍ଜୀକରଣ କରାଯିବ। କିନ୍ତୁ ରିହାତି ପ୍ରସଙ୍ଗ ଆର୍ଟିଓଙ୍କ ଅଧୀନରେ ଯାଉନାହିଁ। ଏଭଳି ସ୍ଥିତିରେ ସରକାର ଘୋଷଣା ଅନୁଯାୟୀ ସ୍ପଷ୍ଟ ନିର୍ଦ୍ଦେଶନାମା ବିଭିନ୍ନ ବିଭାଗକୁ ଜାରି କରିବାକୁ ଦାବି ହେଉଛି।
Follow Us