ସରକାରୀ ସ୍କୁଲରେ ଅନଲାଇନରେ ପାଠପଢା ଆରମ୍ଭ । କ୍ଲାସ ଚାଲିଥିବା ବେଳେ ତଦାରଖ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, କହିଲେ ଇଣ୍ଟରନାଲ ଆସେସମେଣ୍ଟ ହୋଇ କରାଯିବ ଇ-ମୂଲ୍ୟାୟନ ।

230

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ବ୍ୟାହତ ହୋଇଛି । ଶିକ୍ଷାବର୍ଷର ପାଠପଢ଼ା ତିନି ମାସ ଗଡି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀରେ କ୍ଲାସରୁମ୍ ଶିକ୍ଷାଦାନ ହୋଇପାରି ନାହିଁ । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବରେ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମରେ ପାଠପଢା ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୯ଟାରୁ ସାଢେ ୧୦ଟା ଯାଏଁ ପାଠପଢା ହୋଇଛି । ସେହିପରି ନବମ ଓ ଦଶମ ପିଲାଙ୍କ ପାଠପଢା ସକାଳ ୧୦ଟା ୪୫ରୁ ଆରମ୍ଭ ହୋଇ ଗୋଟାଏ ଯାଏଁ ଚାଲିଥିଲା ।

ଅନ୍ୟପଟେ ଅନଲାଇନରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଥିବାବେଳେ, କେମିତି ପାଠପଢ଼ା ଚାଲିଛି ଏହାର ତଦାରଖ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତଦାରଖ ପରେ କହିଛନ୍ତି, ୟୁଟ୍ୟୁବ୍ କ୍ଲାସ ପରେ ଛାତ୍ରଛାତ୍ରୀଙ୍କ ପ୍ରତି ମାସେ ଦୁଇ ମାସରେ ଇଂଟରନାଲ ଆସେସମେଂଟ ହୋଇ ଇ-ମୂଲ୍ୟାଙ୍କନ କରାଯିବ । ତେବେ ଯେଉଁମାନଙ୍କ ପାଖରେ ଏହି ସୁବିଧା ପହଁଚି ପାରିନି ସେମାନଙ୍କ ନିକଟରେ କିଭଳି ପହଁଚିବେ ସେଥିପାଇଁ ପଦକ୍ଷେପ ନେବ ବିଭାଗ ।

ସ୍କୁଲ ଖୋଲି ପାରୁନଥିବାରୁ ଅନଲାଇନ୍ କ୍ଲାସ ହିଁ ଏକମାତ୍ର ବିକଳ୍ପ । କିନ୍ତୁ ଏଥିପାଇଁ ଓଡିଶା କେତେ ପ୍ରସ୍ତୁତ ତାହା ଏକ ବିରାଟ ପ୍ରଶ୍ନ ଭାବେ ଉଭା ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଇଣ୍ଟରନେଟ ସମସ୍ୟା ସହ ଅଧିକାଂଶ ଛାତଛାତ୍ରୀଙ୍କ ନିକଟରେ ମୋବାଇଲ ନାହିଁ କି କମ୍ପ୍ୟୁଟର ନାହିଁ । ଫଳରେର ୟୁ-ଟ୍ୟୁବ୍ ମାଧ୍ୟମରେ ପାଠ ପଢିବା ଏସବୁ ସ୍ଥାନରେ ସେତେ ସହଜ ବୋଲି ଲାଗୁନାହିଁ ।