ଦୂର ହେବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା: ଘରେ ବସି ନିଜ ପସନ୍ଦର ଅଧ୍ୟାପକଙ୍କଠାରୁ ପଢ଼ିବେ ପାଠ, ଆରମ୍ଭ ହେଲା ଇ-ଲେକ୍ଚର ବ୍ୟବସ୍ଥା

463

କନକ ବ୍ୟୁରୋ: ଅନେକ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମିଷ୍ଟର ପ୍ରସ୍ତୁତିକୁ ନେଇ ଚିନ୍ତାରେ ଥାନ୍ତି । କିନ୍ତୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାକୁ ସହଜ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ସ୍ୱରୂପ ଇ-ଲେକ୍ଚର ବ୍ୟବସ୍ଥା ଆଣିଛନ୍ତି । ଅର୍ଥାତ୍ ପିଲାମାନେ ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ୱେବସାଇଟ୍ରେ ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି । ଏହା ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି କରାଯାଇଛି ।

କଲେଜ ଓ ବିଶ୍ୱବିଦ୍ୟାଳୟର ପାଠପଢ଼ାକୁ ସହଜ କରିବା ପାଇଁ ରାଜ୍ୟ ସରକାର ଇ-ଲେକ୍ଚର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଅର୍ଥାତ୍ ଏଣିକି ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ । ନଜର ପକାନ୍ତୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତି ଉପରେ । ନ୍ୟାସନାଲ ଇନଫରମେଟିଭ୍ ସେଂଟର ବା ଏନଆଇସି ପକ୍ଷରୁ https://vtputkal.odisha.gov.in ୱେବସାଇଟ୍ ପ୍ରସ୍ତୁତ ହୋଇଛି । ଏଥିରେ କ୍ଲିକ୍ କରିବା ପରେ
– ଛାତ୍ରଛାତ୍ରୀ ୪ଟି ସେମିଷ୍ଟରର କୋର୍ସ ପଢ଼ିପାରିବେ
– ମୋଟ ୧୧ଟି କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଅପଲୋଡ୍ କରାଯାଇଛି
– ଫିଜିକ୍ସ, କେମେଷ୍ଟ୍ରୀ, ବଟାନୀ, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂରାଜୀ, ସାଇକୋଲୋଜି, କମର୍ସ ଓ ଇକୋନୋମିକ୍ସ ଆଦି ପାଠ୍ୟକ୍ରମ ରହିବ

ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ବା ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ଏହାକୁ ସଫଳ କରିବା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଏକ ଭର୍ଚୁଆଲ ଷ୍ଟୁଡିଓ କରାଯାଇଥିଲା । ଯେଉଁଥିରେ ଅଭିଜ୍ଞ ଲେକଚରମାନଙ୍କୁ ନେଇ ପାଠ୍ୟକ୍ରମ ରେକର୍ଡ କରାଯାଇଛି । ଏହାକୁ ଆଗାମୀ ଦିନରେ ପୋର୍ଟାଲରେ ଅପଲୋଡ୍ କରାଯିବ ।

– ପୋଟାର୍ଲକୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ସବୁ ବିଶ୍ୱବିଦ୍ୟାଳୟ, ସରକାରୀ ଓ ସହକାରୀ କଲେଜକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ
– କଲେଜ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଏହି ଭର୍ଚୁଆଲ ପ୍ଲାଟଫର୍ମ ବ୍ୟବହାର ପାଇଁ ସଚେତନ କରାଯିବ
– ଏହାଦ୍ୱାରା କ୍ଲାସରୁମ୍ ବାହାରେ ବିକଳ୍ପ ଶିକ୍ଷାଗ୍ରହଣର ବାତାବରଣ ସୃଷ୍ଟି କରିବ

ସେପଟେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଇ-ଲେକ୍ଚର ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଅଧ୍ୟାପକ ସଂଘ । ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଇ-ବ୍ୟବସ୍ଥା ଯଦିଓ ବହୁ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ । କିନ୍ତୁ ଏବେବି ଅନେକ ଦୁର୍ଗମ ସ୍ଥାନରେ ଇଂଟରନେଟ୍ ବ୍ୟବସ୍ଥାର ସୁବିଧା ନାହିଁ । ଯାହା ଏଭଳି ଏକ ସୁଦୁର ପ୍ରସାର କାର୍ଯ୍ୟକ୍ରମରେ ବଡ଼ ବାଧକ ହେବ ବୋଲି କୁହାଯାଉଛି ।