ବିଧାନସଭାରେ ଆଗତ ହେଲା ଗୃହବିଭାଗର ଶ୍ୱେତପତ୍ର: ରାଜ୍ୟରେ କ୍ରମାଗତ ବଢି ଚାଲିଛି ଅପରାଧର ମାତ୍ରା ; ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅଧା ମାମଲାରେ ଚାର୍ଜସିଟ୍ ଦାଖଲରେ ପୁଲିସ ବିଫଳ

୫ଟି ଜିଲ୍ଲାରେ ଘଟିଛି ମାଓ ହିଂସା

46

କନକ ବ୍ୟୁରୋ: ଗୃହ ବିଭାଗ ଜାରି କରିଛି ଶ୍ୱେତପତ୍ର । ୨୦୧୮ରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ସ୍ଥିର ଥିଲା ବୋଲି ଉଲ୍ଲେଖ ଥିଲେ ମଧ୍ୟ ବହୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ କ୍ରମାଗତ ଦୁଷ୍କର୍ମ ମାମଲା ବଢି ବଢି ଚାଲିଛି । ୨୦୧୮ରେ ଏହି ସଂଖ୍ୟା ୨୫୦୨ ରହିଥିଲା । ତେବେ ୨୦୧୬ରେ ଦୁଷ୍କର୍ମ ମାମଲା ୨୧୪୪ ଥିଲା ଏବଂ ୨୦୧୭ରେ ଏହା ୨୨୨୧ ଥିବା ତଥ୍ୟ ରହିଛି । ଅନ୍ୟପଟେ ରାଜ୍ୟରେ ହତ୍ୟା ଅଭିଯୋଗ ମଧ୍ୟ ପ୍ରତିବର୍ଷ ବଢି ବଢି ଚାଲିଛି । ୨୦୧୭ରେ ୧୨୬୭ଟି ହତ୍ୟା ଅଭିଯୋଗ ଥିବା ବେଳେ ଗତ ୨୦୧୮ରେ ଏହା ବଢି ୧୩୭୮ ଛୁଇଁଛି । ମୋଟ ମାମଲାକୁ ଆକଳନ କଲେ ମଧ୍ୟ ରାଜ୍ୟରେ ଏହି ସଂଖ୍ୟା ବଢି ବଢି ଚାଲିଛି ।

୨୦୧୬ରେ ରାଜ୍ୟର ବିଭିନ୍ନ ଥାନାରେ ୧ ଲକ୍ଷ ୩ ହଜାର ୬୦୨ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ୧ ଲକ୍ଷ ୩ ହଜାର ୮୬୬ଟି ମାମଲା ରୁଜୁ ହୋଇଥିଲା । ୨୦୧୮ରେ ମୋଟ ମାମଲାର ସଂଖ୍ୟା ବଢି ୧ ଲକ୍ଷ ୭ ହଜାର ୪୦୮ରେ ପହଂଚିଛି । ୨୦୧୭ ତୁଳନାରେ ଏହା ୩.୨୩ ପ୍ରତିଶତ ଅଧିକା । ସେପଟେ ଏହି ଅପରାଧ ମଧ୍ୟରୁ ମାତ୍ର ୭୯ ହଜାର ୩୧୪ଟି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଛି । ସେହିପରି ୨୦୧୮ର ମୋଟ ହତ୍ୟାକାଣ୍ଡ ମାମଲାର ଅଧା ମାମଲାରେ ମଧ୍ୟ ପୁଲିସ ଅଭିଯୋଗ ପତ୍ର ଦାଖଲ କରିବାକୁ ସଫଳ ହୋଇ ନଥିବା ଶ୍ୱେତପତ୍ରରୁ ଜଣାପଡିଛି ।

ସେହିପରି ରାଜ୍ୟରେ ଗତ ବର୍ଷ ଚୋରି, ଡକାୟତି ଓ ଲୁଣ୍ଠନର ମୂଲ୍ୟକୁ ବିଚାର କଲେ ଏହାର ମୋଟ ପରିମାଣ ପ୍ରାୟ ୮୨ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡିଛି । ରାଜ୍ୟରେ ୨୦୧୮ରେ ମୋଟ ୫୪ଟି ନକ୍ସଲ ଆକ୍ରମଣ ଘଟଣା ଘଟିଥିବା ଗୃହ ବିଭାଗର ଏହି ତଥ୍ୟରୁ ଜଣାପଡିଛି । ସେଥିମଧ୍ୟରୁ ୨୬ଟି ଘଟଣାରେ ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ ବୋଲି ସୂଚନା ଦିଆଯାଇଛି । ମୋଟ ୧୯ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆତ୍ମସମର୍ପଣ କରିଛନ୍ତି । ଏସବୁ ଘଟଣା କୋରାପୁଟ, କଳାହାଣ୍ଡି, ରାୟଗଡା, କନ୍ଧମାଳ ଓ ନୂଆପଡା ଜିଲ୍ଲାରେ ଘଟିଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି ।