ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ବେଳେ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବା: ହେଲେ ବାହାରକୁ ଯାଇ ଖାଇବା ମନା; ଅନଲାଇନରେ ଖାଦ୍ୟ ସାମଗ୍ରୀ ମଗାଇବାକୁ ସରକାରଙ୍କ ଅନୁମତି

ଇ-କମର୍ସ ପ୍ଲାଟଫର୍ମ ଜରିଆରେ ମଗାଇପାରିବେ କୌଣସି ବି ଜିନିଷ

4,196

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟରେ ଏପ୍ରିଲ ୩୦ ତାରିଖ ଯାଏଁ ଲଡଡାଉନ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା ହୋଇଥିବା ତାଲାବନ୍ଦ କଟକଣା ଆସନ୍ତା କାଲି ତଥା ଏପ୍ରିଲ ୧୪ ତାରିଖ ରାତି ୯ଟାରେ ଶେଷ ହେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏହାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଳବତର ରଖିଛନ୍ତି । ଫଳରେ ୧୫ ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ କଟକଣା ଆରମ୍ଭ ହେଉଛି । ତେବେ ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ବେଳେ ସରକାରଙ୍କ ପକ୍ଷରୁ ତାଲାବନ୍ଦ କଟକଣାରେ କିଛି ପରିବର୍ତ୍ତନ ଅଣାଯାଇଛି । ଫଳରେ ଏହି ସମୟରେ ରାଜ୍ୟରେ ଜରୁରୀ ସେବା ବ୍ୟତୀତ ଆଉ କିଛି ଦରକାରୀ କାର୍ଯ୍ୟ ମଧ୍ୟ ଲୋକମାନେ କରିପାରିବେ । ହେଲେ ଏସବୁ ମଧ୍ୟରେ ବି ସାମାଜିକ ଦୂରତ୍ୱ ପାଳନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଥିରେ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର ।

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମୟରେ ଅନଲାଇନରେ ସାମଗ୍ରୀ ମଗାଇବାକୁ ସରକାର ଅନୁମତି ଦେଇଛନ୍ତି । ଏହି ସମୟରେ ହୋଟଲେ, ରେଷ୍ଟୁରାଂଟ ଏବଂ ଢାବା ଖୋଲାରହିବ ସତ ହେଲେ ଏଠାରେ ବସି କେହି ଖାଇପାରିବେ ନାହିଁ । ହୋଟେଲ କିମ୍ବା ରେଷ୍ଟୁରାଂଟରୁ ଘରକୁ ଖାଦ୍ୟ ସାମଗ୍ରୀ ମଗାଇ ପାରିବେ । କିନ୍ତୁ ସେଠାରେ ବସି ଖାଇ ପାରିବେ ନାହିଁ । ସେହିଭଳି ଏହି ସମୟରେ ଇ-କମର୍ସ ତଥା ଅନଲାଇନ ପ୍ଲାଟଫର୍ମ ଜରିଆରେ ମଧ୍ୟ ଲୋକମାନେ ଯେକୌଣସି ସାମଗ୍ରୀ ମଗାଇପାରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

କରୋନା ସଂକ୍ରମଣ ରୋକିବା ପାଇଁ ତାଲାବନ୍ଦ ରହିଥିବାବେଳେ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତାଲାବନ୍ଦ ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିଲେ ମଧ୍ୟ କୃଷି ଓ ଅନ୍ୟ କେତେକ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଏହି ସମୟରେ କୃଷି ସମ୍ପର୍କୀତ କାର୍ଯ୍ୟ ଜାରି ରହିବ । ଚାଷୀମାନେ ସେମାନଙ୍କ ଧାନ ଅମଳ କରିପାରିବେ ଓ ବୁଣି ପାରିବେ । କୃଷି ଜାତ ଦ୍ରବ୍ୟ ପରିବହନ ଓ ବଂଟନ ପାଇଁ ଟ୍ରାକ୍ଟର ଓ ଟ୍ରକ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦେକାନ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ଏହା ସହିତ ଲକଡାଉନରେ ମତ୍ସ୍ୟ ଉତ୍ପାଦନ ସମ୍ପର୍କୀୟ ସମସ୍ତ କାର୍ଯ୍ୟ ଜାରି ରହିବ । ଉଦ୍ୟାନ କୃଷି ସମ୍ପର୍କୀତ କାର୍ଯ୍ୟ ମଧ୍ୟ ଚାଲିବ । କେନ୍ଦୁପତ୍ର ସଂଗ୍ରହ, ବିକ୍ରି ଓ ପ୍ରକ୍ରିୟା କରଣ କାର୍ଯ୍ୟ ଜାରି ରହିବ । ପାନୀୟ ଜଳ ଯୋଗାଣ ପାଇଁ ନଳକୂପ ଖୋଳା ଓ ମରାମତି ଜାରି ରହିବ । ସେହିଭଳି ନରେଗା କାର୍ଯ୍ୟ ମଧ୍ୟ ଚାଲୁ ରହିବ । ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କାର୍ଯ୍ୟ ଜାରି ରହିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।