କନକ ବ୍ୟୁରୋ : ନୂଆ ମୋଟର ଯାନ ଆଇନକୁ ଆଉ ତିନି ମାସ କୋହଳ ହେବା ପରେ ଆପଣ ବେପରୁଆ ହୋଇଯାଇଛନ୍ତି କି? ତେବେ ଆପଣ ସାଂଘାତିକ ଭୁଲ କରିବାକୁ ଯାଉଛନ୍ତି, କାରଣ ଆସନ୍ତାକାଲିଠାରୁ ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ନିସ୍ତାର ନାହିଁ । କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଞ୍ଚ ବେଳେ ଆଉ ସବୁ କିଛି ନିୟମକୁ କଡାକଡି ଭାବେ ପାଳନ କରାଯିବ । ଅର୍ଥାତ ଟ୍ରାଫିକ ନିୟମ ଉଲଂଘନ, ହେଲମେଟ୍ ନ ପିନ୍ଧିବା, ମଦ ପିଇ ଗାଡ଼ି ଚଳାଇବା ଆଦି ଧରାପଡିଲେ ମୋଟା ଆକାରର ତଣ୍ଡ ଗଣିବାକୁ ପଡ଼ିବ । ଏପରିକି ଟ୍ରାଫିକ ପୋଲିସ ନଥିଲେ ଖିଲାପକାରୀଙ୍କୁ ଧରିବ କ୍ୟାମେରା । ଆଉ ସେମାନଙ୍କ ଘରକୁ ପଠାଇ ଦିଆଯିବ ଇ-ଚାଲାଣ ।

Advertisment

publive-imageନିୟମ ଉଲଙ୍ଘନକାରୀଙ୍କୁ ଆଉ ନିସ୍ତାର ନାହି । ଯେଉଁମାନେ ଟ୍ରାଫିକ ନିୟମ ମାନୁନାହାନ୍ତି, ଡିସେମ୍ବର ୧ରୁ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏଣିକି କେବଳ ଇ-ମେସିନରେ ଚାଲାଣ କଟାଯିବ । ମାନୁଆଲ ଚାଲାଣକୁ ସଂପୂର୍ଣ୍ଣ ବନ୍ଦ କରାଯିବ । ଟ୍ରାଫିକ ପୁଲିସ ଧରୁ ବା ନଧରୁ ଚାଲାଣ କିନ୍ତୁ ନିଶ୍ଚୟ କଟିବ । ଅଟୋମେଟିକ ନମ୍ବର ପ୍ଲେଟ୍ ରିଡର ଓ ଟ୍ରାଫିକ ଭାଓଲେଟର ଡିଟେକସନ ସିଷ୍ଟମ ମାଧ୍ୟମରେ ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର ମାଧ୍ୟମରେ ଗାଡିର ନମ୍ବର ପ୍ଲେଟ୍ କଏଦ ହେବ ଓ ଗାଡି ଚାଳକଙ୍କ ଘରକୁ ଡାକ ଯୋଗେ ଇ-ଚାଲାଣ ପଠାଯିବ । ଠିକ୍ ସମୟରେ ଫାଇନ ନଦେଲେ ସୁଧ ସହ ଦେବାକୁ ପଡିବ ଜରିମାନା । କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଆଉ ୩ ମାସ କୋହଳ କରାଯାଇଥିବା ବେଳେ ବାକି ସମସ୍ତ ନିୟମକୁ କଡ଼ାକଡ଼ି କରାଯିବ ।

- ମଦ ପିଇ ଗାଡ଼ି ଚଳାଇବା
- ହେଲମେଟ୍ ନପିନ୍ଧିବା
- ବାଇକରେ ଦୁଇ ଜଣରୁ ଅଧିକ ଯିବା
- ସିଟ୍ ବେଲ୍ଟ ନବାନ୍ଧିବା
- ଭୁଲ ଦିଗରେ ଗାଡ଼ି ଚଳାଇବା
- ଟ୍ରାଫିକ ସିଗନାଲ ନମାନିବା
- ଦ୍ରୁତ ଗତିରେ ଗାଡ଼ି ଚାଳନା ଉପରେ ରହିବ କଡ଼ା ନଜର । ଏଥିରେ ଉଲଂଘନ ହେଲେ ଗଣିବାକୁ ପଡ଼ିବ ଜରିମାନା ।

ନୂଆ ବ୍ୟବସ୍ଥା ଅନୁସାରେ, ପୁଲିସ ନଧରିଲେ ବି ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଦେବାକୁ ପଡିବ । ସିସିଟିଭି ଆଧାରରେ ଏହି ଜରିମାନା ନିଆଯିବ । ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ କମିସନରେଟ ଅଫିସକୁ ଆସି ସେଠାରେ ଜରିମାନା ରାଶି ଜମା କରିପାରିବେ । ଏଣିକି ନିୟମ ଉଲଂଘନ କରି ଆପଣ ଆଉ ଖସି ଯାଇପାରିବେ ନାହିଁ । ଯଦି ଜରିମାନା ଟଙ୍କା ପୈଠ ନକରିବେ ତେବେ ଏହି ରାଶି ଆପଣଙ୍କ ଖାତାରେ ଚଢାଯିବ ଅର୍ଥାତ୍ ଯେତେବେଳେ ଆପଣ ରୋଡ ଟିିକସ ଦେବାକୁ ବା ଗାଡିର ଓନରସିପ୍ ବଦଳାଇବାକୁ ଯିବେ ସେ ସମୟରେ ଜରିମାନା ରାଶି ସୁଧ ସହ ପରିଶୋଧ କରିବାକୁ ହେବ ।

ମଦୁଆ ଡ୍ରାଇଭରଙ୍କ ଉପରେ ସବୁଠୁ କଡ଼ା ନଜର ରଖିବ ପୋଲିସ ଓ ପରିବହନ ବିଭାଗ । ମଦ ପିଇ ଗାଡ଼ି ଚଳାଇଲେ ଜରିମାନା ଗଣିବା ସହ ଗିରଫ କରାଯିବ । ଗତ ୨୪ ଘଂଟା ମଧ୍ୟରେ ୧୬୦ ଜଣ ମଦୁଆ ଡ୍ରାଇଭର ଧରାପଡ଼ିଛନ୍ତି । ଗଂଜାମରେ ସର୍ବାଧିକ ୨୭ ଜଣ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି ।