ଭୁବନେଶ୍ୱର, କଟକରେ ଚିନ୍ତାଜନକ ପରିସ୍ଥିତି : ଇ-ଚାଲାଣକୁ ଖାତିର କରୁନାହାଁନ୍ତି ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ; ୮୦% ପୈଠ କରୁନାହାଁନ୍ତି ଜରିମାନା ରାଶି

186

କନକ ବ୍ୟୁରୋ : ଇ-ଚାଲାଣ ଜରିମାନା ରାଶି ଦେଉନାହାଁନ୍ତି ଅମାନିଆ । କମିଶନରେଟ ପୁଲିସରେ ଭୁବନେଶ୍ୱର କଟକରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କୁ ଜଗିବା ପାଇଁ ସିସିଟିଭି ଲଗାଯାଇଛି । ଏହି ସିସିଟିଭି ଫୁଟେଜ୍ ଅବା ଟ୍ରାଫିକ ପୁଲିସ ଦ୍ୱାରା ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ନମ୍ବର ଫଟୋ ଉଠାଇ ଇ-ଚାଲାଣ କଟାଯାଉଛି । ହେଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଅମାନିଆ ଏହି ଇ-ଚାଲାଣ ତଥା ଜରିମାନା ରାଶି ପୈଠ କରୁନାହାଁନ୍ତି । ଫଳରେ ଇ-ଚାଲାଣ ବ୍ୟବସ୍ଥା ଏକପ୍ରକାର ପ୍ରହସନ ପାଲଟିଯାଇଛି ।

ଏହି ମାମଲା କୋର୍ଟକୁ ଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହଁ । କେବଳ କୋର୍ଟ ଉପରେ ଚାପ ବଢୁଛି । କୋର୍ଟ ଉଲ୍ଲଙ୍ଘନକାରୀଙ୍କୁ ହଜାର ହେବାକୁ ବାରମ୍ବାର ସମନ ପଠାଉଥିଲେ ମଧ୍ୟ କେହି ଏଥିପ୍ରତି ଖାତିର କରୁନାହାଁନ୍ତି । ଫଳରେ କୋର୍ଟ ଚାପଗ୍ରସ୍ତ ହେବା ସହ ଟ୍ରାଫିକ୍ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ଏଭଳି କିଛି ଅମାନିଆ ଅଛନ୍ତି, ଯେଉଁମାନେ ବାରମ୍ବାର ନିୟମ ଉଲ୍ଲଙ୍ଘନ କରୁଥିବାରୁ ତାଙ୍କର ଇ-ଚାଲଣ କଟୁଛି, ହେଲେ ସେମାନେ ଆଦୌ ଜରିମାନା ରାଶି ପୈଠ କରୁନାହାଁନ୍ତି । ଏପରିକି ଜଣେ ବ୍ୟକ୍ତିଙ୍କ ପାଖରୁ ୮୧ ଟି ଇ-ଚାଲାଣ ଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଅପରାଧିଙ୍କ ଉପରେ ନଜର ରଖିବା ଏବଂ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ବିଏସସିଏଲ ପକ୍ଷରୁ ଭୁବନେଶ୍ୱର ଏବଂ କଟକରେ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ଯେଉଁମାନେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସିସିଟିଭି ଫୁଟେଜ୍ ଆଧାରରେ ସେମାନଙ୍କ ପାଖକୁ ଇ-ଚାଲାଣ ଯାଉଛି । କିଛି ଅମାନିଆ ସିସିଟିଭି ଫୁଟେଜରେ ଧରାନପଡିବା ପାଇଁ ଗାଡି ନମ୍ବର ମଧ୍ୟ ପରିବର୍ତ୍ତନ କରିଦେଉଛନ୍ତି । ଫଳରେ ଜଣେ ନିୟମ ଭାଙ୍ଗୁଛି ହେଲେ ଇ-ଚାଲାଣ ଅନ୍ୟ ଜଣଙ୍କ ପାଖକୁ ଯାଉଛି । ଏଭଳି ସ୍ଥିତିରେ ଏହି ବ୍ୟବସ୍ଥା ସୁଧାର ଆଣିବାର ଆବଶ୍ୟକତା ପଡିଛି ।