କନକ ବ୍ୟୁରୋ: ଭାରତୀୟ ରାଜନୀତିରେ ନୂଆ ଟ୍ରେଣ୍ଡ ପାଲଟିଛି ବଂଶବାଦ ରାଜନୀତି । ଯାହାର ଅନେକ ଉଦାହରଣ ଓଡିଶାରେ ମଧ୍ୟ ରହିଛି । କିଛି ବିଧାୟକଙ୍କ ପୁଅ ବା ଝିଅ ତାଙ୍କ ବାପାଙ୍କ ସ୍ଥାନରେ କ୍ଷମତାକୁ ଆସିସାରିଛନ୍ତି । ଆଉ କେତେ ଜଣଙ୍କ ସେମାନଙ୍କ ବାପାଙ୍କ ସ୍ଥାନରେ ଆସିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

Advertisment

ସ୍ୱାଧୀନତା ପରେ ଦେଶରୁ ରାଜାରାଜୁଡା ଶାସନ ଯାଇଛି ସତ, ହେଲେ ଏବେ ବି କ୍ଷମତାର ଅଳିନ୍ଦରେ ବଂଶବାଦ ରାଜନୀତି ଜାରି ରହିଛି । ବର୍ଷ ବର୍ଷ ଧରି ବାପା କ୍ଷମତାରେ ରହିବା ପରେ ସେହି ସ୍ଥାନକୁ ପୁଅ ବା ଝିଅ ଦଖଲ କରୁଛନ୍ତି । ଦଳୀୟ ଟିକେଟ ନେଇ ନିର୍ବାଚିତ ହେଉଛନ୍ତି । ଯାହା ଭାରତୀୟ ରାଜନୀତିକୁ କଳଙ୍କିତ କରିଛି । କନକ ନ୍ୟୁଜର ନ୍ୟୁଜ ମେକରରେ ବଂଶବାଦ ରାଜନୀତିକୁ ନେଇ ଆଲୋଚନାରେ ଭାଗ ନେଇ ମତ ରଖିଛନ୍ତି ଧାମନଗରର ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀ । କହିଛନ୍ତି, ବଂଶବାଦ ଅପେକ୍ଷା ଯୋଗ୍ୟତାର ଅଧିକ ଗୁରୁତ୍ୱ ରହିଥାଏ । ନେତାଙ୍କ ପୁଅ ହେଲେ ବି ଜନତାଙ୍କ ଆଗରେ ଯୋଗ୍ୟତାର ପରିଚୟ ଦେବାବୁ ପଡିଥାଏ ।

ପିପିଲି ବିଧାୟକ ରୁଦ୍ର ମହାରଥୀ ମଧ୍ୟ ରାଜନୀତି ବଂଶବାଦ ଆରୋପକୁ ନେଇ ମତ ରଖିଛନ୍ତି । କହିଛନ୍ତି, ନିର୍ବାଚନ ଲଢ଼ିବାକୁ ଟିକେଟର ଆବଶ୍ୟକ ନଥାଏ । କି କେବଳ ଟିକେଟ ପାଇଲେ ଜିତି ହେବନି । ଲୋକଙ୍କ ସେବା କଲେ ଲୋକେ ଭୋଟ ଦେବେ । ଲୋକଙ୍କ ସେବା ଓ ରାଜନୀତି ଭିନ୍ନ କଥା ।

ଦିବଂଗତ କଂଗ୍ରେସ ବିଧାୟକ ତଥା ଟାଣୁଆ ସଂଗଠକ ଲଲାଟେନ୍ଦୁ ମହାପାତ୍ରଙ୍କ ଝିଅ ତାଙ୍କ ବାପାଙ୍କ କର୍ମକ୍ଷେତ୍ରରେ ନିର୍ବାଚନ ଲଢ଼ିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏବଂ ୨୦୨୪ରେ ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଆଉ ଏତିକିବେଳେ ଉପାସନା କହିଛନ୍ତି, ନିର୍ବାଚନ ଲଢ଼ିବାକୁ ହେଲେ ସେ ଯୋଗ୍ୟ ପ୍ରାର୍ଥୀ ବୋଲି ପ୍ରମାଣିତ କରିବାକୁ ପଡେ । ନିର୍ବାଚନ ଏମିତି ଏକ ପ୍ରକ୍ରିୟା ଯେଉଁଥିରେ ଭୋଟର ହିଁ ସର୍ବେସର୍ବା । ତେବେ ଲୁଲୁ ମହାପାତ୍ରଙ୍କ ଝିଅର ପରିଚୟରେ ବିଂଚିବି । ଭାରତରେ ବଂଶବାଦ ରାଜନୀତି ଆଜି କାଲିର ନୁହେଁ । ସ୍ୱାଧୀନତା ପରଠାରୁ ଏହା ଲାଗି ରହିଛି । କିନ୍ତୁ ବଂଶବାଦ ରାଜନୀତିରୁ କୌଣସି ରାଜନୈତିକ ଦଳ ବାହାରି ପାରି ନାହାଁନ୍ତି ।