ଯାଜପୁରରେ ଡ଼ିନାମାଇଟରେ ବନ୍ଧ ଉଡ଼ାଇବା ଘଟଣା : ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍ ; ଡ଼ିସେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି

128

କନକ ବ୍ୟୁରୋ : ଯାଜପୁରରେ ବନ୍ୟା ସମୟରେ ନଦୀ ବନ୍ଧକୁ ଡିନାମାଇଟ୍ ଲଗାଇ ବିସ୍ଫୋରଣରେ ଉଡାଇ ଦେବା ଘଟଣା । ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି । ଡିସେମ୍ୱର ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଯାଜପୁର ଜିଲ୍ଲାର ୫ ନଂବର ଜାତୀୟ ରାଜପଥର ଗୋକର୍ଣ୍ଣେଶ୍ୱର ଠାରୁ ବୁଢାଲିଙ୍ଗ ମଝିପଡା ରାସ୍ତାର ଜଳସେଚନ ରାସ୍ତାକୁ ବନ୍ୟା ସମୟରେ ଡିନାମାଇଟ୍ ଲଗାଇ ଉଡାଇ ଦିଆଯାଇଥିଲା ।

ରାମପୁର ଠାରେ ଏପରି ବିସ୍ଫୋରଣ ପରେ ବନ୍ୟା ସମୟରେ ନଦୀ ବନ୍ଧ ଭାଙ୍ଗି ବିରାଟ ଘାଇ ହୋଇଥିଲା । ଏଥିରେ ପ୍ରାୟ ୪ ହଜାର ଏକର ଫସଲ ନଷ୍ଟ ହୋଇଥିବା କୁହାଯାଇଥିଲା । ସୂଚନା ଅଧିକାର ଆଇନ ବଳରେ ଡିନାମାଇଟ୍ ଲଗାଇ ବିସ୍ଫୋରଣ ପରେ ନଦୀ ବନ୍ଧ ଭାଙ୍ଗିଥିବା କଥା ସାମ୍ନାକୁ ଆସିଥିଲା । ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତିକୁ ଲୁଚାଇବାକୁ ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ପାଣିକୋଇଲି କନିଷ୍ଠ ଯନ୍ତ୍ରୀଙ୍କର ଏଥିରେ ସଂପୃକ୍ତି ଅଭିଯୋଗ ମଧ୍ୟ ଆସିଥିଲା । ୨୦୧୬ ମସିହାରେ ଏହି ପ୍ରକଳ୍ପ ପାଇଁ ୨୨ କୋଟି ଟଙ୍କା ମଂଜୁର ହୋଇଥିଲା ।

୨୦୧୮ ସୁଦ୍ଧା କାମ ସରିବାର ଥିଲେ ମଧ୍ୟ ଏହା ହୋଇନଥିଲା । ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ରାସ୍ତାର ବ୍ୟୟ ଅଟକଳ ବଢିଥିଲା । ଏବେ ରାସ୍ତାରେ ବିସ୍ଫୋରଣ ପରେ ରାସ୍ତା ଧୋଇ ଯାଇଛି । ଲୋକାୟୁକ୍ତଙ୍କ ନିକଟରେ ଏନେଇ ଅଭିଯୋଗ ହେବା ପରେ , ଲୋକାୟୁକ୍ତ ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ଯାଜପୁର ଜିଲ୍ଲାପାଳ, ପାଣିକୋଇଲି ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ, ଜାରକା ଉପଖଣ୍ଡର ଉପନିର୍ବାହୀ ଯନ୍ତ୍ରୀ, ପାଣିକୋଇଲି ଉପଖଣ୍ଡର କନିଷ୍ଠ ଯନ୍ତ୍ରୀଙ୍କୁ ନୋଟିସ୍ କରିଛନ୍ତି ।