ଭିଜିଲାନ୍ସ ଜାଲରେ ଡେପୁଟି ମ୍ୟାନେଜର : ଚଢ଼ାଉ ବେଳେ ଛାତ ଉପରୁ ବାହାରକୁ ଫିଙ୍ଗିଦେଲେ ବିଡ଼ା ବିଡା ଟଙ୍କା

ଅଫିସ ଓ ଘର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ

285

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନରେ ଡେପୁଟୀ ମେନେଜର । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉ ବେଳେ ଛାତ ଉପରୁ ବାହାରକୁ ବିଡ଼ା ବିଡ଼ା ଟଙ୍କା ଫିଙ୍ଗିଦେଇଥିବା କୁହାଯାଉଛି ।

ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକର ଟି ସ୍ଥାନରେ ରେଡ୍ କରାଯାଉଛି । ଅଫିସ୍ ଓ ଘର ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ପ୍ରତାପ ସାମଲଙ୍କ ଅଫିସ୍, ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା ୩ ମହଲା କୋଠା, ଜୟଦେବ ବିହାରରେ ଥିବା ୬ ମହଲା କୋଠା, ଖଣ୍ଡଗିରିରେ ଥିବା ଘରେ ରେଡ୍ କରାଯାଇଛି । ଭଦ୍ରକ ବାସୁଦେବପୁରରେ ଥିବା ତିନି ମହଲା ବିଲଡିଂ, ବାଲେଶ୍ୱର ସିମୁଳିଆରେ ଥିବା ପୈତୃକ ଘର, ସିମୁଳିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି ।

ଭଦ୍ରକ ଅନନ୍ୟା ଟାୱାରରେ ଥିବା ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ । ଚଢାଉ ବେଳେ ଭୁବନେଶ୍ୱର ଗୋଠପାଟଣାରେ ତାଙ୍କର ଏକ ପାଂଚ ମହଲା କୋଠା ଏବଂ ନୟାପଲ୍ଲୀ ଆଇଆରସି ଭିଲେଜରେ ୪ ମହଲା କୋଠା ଥିବା ଜଣାପଡ଼ିଛି । ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।