କନକ ବ୍ୟୁରୋ : ଆଡପ ପହଣ୍ଡି ବେଳେ ଚାରମାଳରେ ପଡିଗଲେ ପ୍ରଭୁ ଶ୍ରୀବଳଭଦ୍ର । ଏହି ଘଟଣା କୋଟି କୋଟି ଭକ୍ତଙ୍କ ମନରେ ଆଘାତ ପହଞ୍ଚାଇଛି । ଚାରମାଳରେ ପ୍ରଭୁ ଶ୍ରୀବଳଭଦ୍ର ଖସିଯାଇଥିବା ବେଳେ ୧୦ରୁ ଅଧିକ ସେବାୟତ ଆହତ ହୋଇଛନ୍ତି । ତେବେ ଏହି ଘଟଣା ପରେ ସଙ୍ଗେ ସଙ୍ଗେ ପୁରୀରେ ପହଞ୍ଚି ଆହତ ସେବାୟତଙ୍କୁ ଭେଟିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ପୁରୀରୁ ଫେରି ନିଜ ପ୍ରତିକ୍ରିୟାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଗତକାଲି ଅଘଟଣ ନେଇ ଜାଣିବା ପରେ ପୁରୀକୁ ଯାଇଥିଲୁ । ଆହତ ସେବାୟତଙ୍କୁ ତୁରନ୍ତ ଭେଟିଥିଲୁ । ସମସ୍ତେ ପ୍ରାଥମିକ ଚିକିତ୍ସା ପରେ ଫେରିଥିଲେ । ଏହା ଲୀଳାମୟଙ୍କ ଲୀଳା ହୋଇଥାଇପାରେ । ପ୍ରଭୁ ଚାରମାଳରୁ ଖସିପଡିଲେ, କିନ୍ତୁ କାହାର ସେମିତି ବିଶେଷ କିଛି କ୍ଷତି ହୋଇନାହିଁ । ପୁଣିଥରେ ସ୍ୱାଭାବିକ ଭାବେ ନୀତିକାନ୍ତି ଚାଲିଲା । ଆମ ଠାକୁରଙ୍କ ଲୀଳା ଅପାର । ପୁରୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛୁ । ପ୍ରଭୁଙ୍କ ଆଶୀର୍ବାଦ କାରଣରୁ କାହାର କିଛି ହୋଇନାହିଁ । ପୁଣିଥରେ ସମସ୍ତେ ମିଶି ଠାକୁରଙ୍କ ନୀତିକାନ୍ତିରେ ଲାଗିଥିଲେ ବୋଲି କହିଛନ୍ତି ପ୍ରଭାତୀ ପରିଡା ।