ଆଗାମୀ ସିଜେଆଇ ହେବେ ଡି. ୱାଇ ଚନ୍ଦ୍ରଚୂଡ । ଦିନେ ବାପାଙ୍କ ରାୟକୁ ବଦଳାଇ ଥିଲେ…

175

କନକ ବ୍ୟୁରୋ: ଭାରତର ନୂଆ ମୁଖ୍ୟ ବିଚାରପତି ପାଇଁ ଡି. ୱାଇ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଛନ୍ତି ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ । ନଭେମ୍ବର ୮ରେ ଜଷ୍ଟିସ ୟୁ ୟୁ ଲଳିତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ନଭେମ୍ବର ୯ ତାରିଖରେ ଦେଶର ୫୦ ତମ ମୁଖ୍ୟ ବିଚାରପତି ଭାବେ ଡି. ୱାଇ ଚନ୍ଦ୍ରଚୂଡ ଶପଥ ନେଇପାରନ୍ତି । ମଙ୍ଗଳବାର ସକାଳୁ ଜଷ୍ଟିସ ୟୁୟୁ ଲଳିତ ସୁପ୍ରିମକୋର୍ଟ ଜଜମାନଙ୍କ ଉପସ୍ଥିତିରେ ନିଜ ପତ୍ରର ଗୋଟିଏ ନକଲ ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡଙ୍କୁ ହସ୍ତାନ୍ତର କରିଥିଲେ ।
ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡଙ୍କ ବାପା ୟଶୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ଦେଶର ୧୬ତମ ମୁଖ୍ୟ ବିଚାରପତି ରହିସାରିଛନ୍ତି । ତାଙ୍କ କାର୍ଯ୍ୟକାଳ ୧୯୭୮ ଫେବ୍ରୁଆରୀ ୨୨ରୁ ୧୯୮୫, ଜୁଲାଇ ୧୧ ପର୍ଯ୍ୟନ୍ତ ଥିଲା ।

ଜଷ୍ଟିସ ଚନ୍ଦ୍ରଚୂଡ ନିଜର କଠୋର ନିଷ୍ପତ୍ତି ପାଇଁ ଲୋକପ୍ରିୟ ହୋଇପାରିଥିଲେ । ସେ ପାଖାପାଖି ୨ବର୍ଷ ପାଇଁ ଦେଶର ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୨ ନଭେମ୍ବର ୯ରୁ ୨୦୨୪ ନଭେମ୍ବର ୧୦ ଯାଏ ରହିବ । ଭାରତୀୟ ପରମ୍ପରା ଅନୁସାରେ ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ବର୍ତ୍ତମାନର ପ୍ରଧାନ ବିଚାରପତି ଚିଠି ଲେଖି ନିଜର ପରବର୍ତ୍ତୀ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିଥିଲେ ।

ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ ନିଜ ବାପାଙ୍କ ଦୁଇଟି ରାୟକୁ ବଦଳାଇସାରିଛନ୍ତି । ୨୦୧୭-୧୮ରେ ସେ ତାଙ୍କ ବାପାଙ୍କ ରାୟକୁ ବଦଳାଇସାରିଛନ୍ତି । ଏହି ରାୟ ହେଉଛି ଆଡଲଟ୍ରି ଲ ଏବଂ ଶିବକାନ୍ତ ଶୁକ୍ଲା ବନାମ ଏଡିଏମ ଜବଲପୁର ମାମଲାର ରାୟରେ ପରିବର୍ତ୍ତନ କରିଥିଲେ । ୧୯୮୫ରେ ତତକାଳୀନ ମୁଖ୍ୟ ବିଚାରପତି ୟଶୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡଙ୍କ ବେଞ୍ଚ ସୌମିତ୍ର ବିଷ୍ଣୁ ମାମଲାରେ ଆଇପିସିର ଧାରା ୪୯୭କୁ ବଜାୟ ରଖିଥିଲେ । ସେତେବେଳେ ଏହି ରାୟରେ ଲେଖାଯାଇଥିଲା, ‘ସାମାନ୍ୟଭାବେ ଆମେ ଏହା ଗ୍ରହଣ କରିଥାଉ ଯେ ସମ୍ପର୍କ ରଖିପାଇଁ ପୁରୁଷ ହିଁ ପ୍ରଲୋଭିତ କରିଥାଏ, ମହିଳା ନୁହେଁ’ । ଏହି ରାୟକୁ ୨୦୧୮ରେ ପରିବର୍ତ୍ତନ କରାଯାଇଥିଲା । ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ କହିଥିଲେ, ଏଡଲ୍ଡଟ୍ରି ଲ ପିତୃସତ୍ତାର ସଂହିତାବଦ୍ଧ ନିୟମ । ଆମକୁ ଯୌନ ସ୍ୱାୟତ୍ତତାର ମହତ୍ତ୍ୱକୁ ବୁଝିବାକୁ ପଡିବ । ସେହିଭଳି ଦ୍ୱିତୀୟ ନିଷ୍ପତ୍ତି ହେଉଛି, ୧୯୭୬ରେ ଯେତେବେଳେ ଶିବକାନ୍ତ ଶୁକ୍ଲା ବନାମ ଏଡିଏମ ଜବଲପୁର ମାମଲାରେ ସୁପ୍ରିମକୋର୍ଟ ଗୋପନୀୟତାକୁ ମୌଳିକ ଅଧିକାରଭାବେ ଗ୍ରହଣ କରାଯାଇନଥିଲା । ପରେ ସୁପ୍ରିମକୋର୍ଟ ୨୦୧୭ ଏହାକୁ ମୌଳିକ ଅଧିକାରଭାବେ ଗ୍ରହଣ କରିବାକୁ ରାୟ ଶୁଣାଇଥିଲେ । ରାୟ ଶୁଣାଇଥିବା ଏହି ବେଞ୍ଚରେ ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ ରହିଥିଲେ । ସେ ରାୟରେ ଲେଖିଥିଲେ ପୂର୍ବରାୟରେ ଅନେକ ତ୍ୁଟି ରହିଥିଲା ।