କନକ ବ୍ୟୁରୋ : ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କଲେ ବ୍ରାଭୋ । ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର ଡ୍ୱେନ ବ୍ରାଭୋ ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ୱେଷ୍ଟଇଣ୍ଡିଜ ପରାଜିତ ହେବା ସହ ସେମିଫାଇନାଲ ରେସରୁ ବିଦା ହୋଇଛି । ଆଉ ଏହି ପରାଜୟ ପରେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଶନିବାର ବ୍ରାଭୋ ଶେଷ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିବେ । ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ଡାରେନ ସାମି ଓ ଏଲେକ୍ସ ଜୋର୍ଡାନଙ୍କ ସହ ଫେସବୁକ ଲାଇଭରେ ଏନେଇ ଘୋଷଣା କରିଥିଲେ ବ୍ରାଭୋ ।
Kanak News is now on WhatsApp
Join and get latest news updates delivered to you via WhatsApp
ବ୍ରାଭୋ କହିଛନ୍ତି, ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ଏବେ ଉପଯୁକ୍ତ ସମୟ ଆସିଗଲା, କ୍ରିକେଟ କ୍ୟାରିୟର ବହୁତ ଭଲ ରହିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ଦୀର୍ଘ ୧୮ ବର୍ଷ ଧରି କ୍ରିକେଟ ଖେଳି ଆସିଛି । ଆଉ ଏତେ ସମୟ ଧରି ୱେଷ୍ଟଇଣ୍ଡିଜ ପାଇଁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିବାରୁ କାରବିଆନ ଲୋକଙ୍କୁ ଧନ୍ୟବାଦ । କ୍ରିକେଟ କ୍ୟାରିୟରରେ ୩ଟି ଆଇସିସି ଟ୍ରଫି ଜିତିବା ମୋ ପାଇଁ ସବୁଠୁ ବଡ ଉପଲବ୍ଧି ।
ଚଳିତ ଟି-୨୦ ବିଶ୍ୱକପ ଆମ ପାଇଁ ସେଭଳି ହେଲା ନାହିଁ, ଯେମିତି ଆମେ ଚାହୁଁଥିଲୁ । କିନ୍ତୁ ଏଥିପାଇଁ ଦୁଃଖ କରିବାର ଆବଶ୍ୟକତା ନାହିଁ, କାରଣ ଏହା ଏକ କଠିନ ଓ ଚ୍ୟାଲେଞ୍ଜିଂ ପ୍ରତିଯୋଗିତା ଥିଲା ପୂରା ଟିମ୍ ପାଇଁ । ମୋ ପାଖରେ କ୍ରିକେଟକୁ ନେଇ ଯେଉଁ ଅଭିଜ୍ଞତା ଓ ଅନୁଭବ ରହିଛି ତାହାକୁ ଯୁବବର୍ଗଙ୍କ ମଧ୍ୟରେ ବାଣ୍ଟିବାକୁ ଚାହୁଁଛି । ଆମେ ଖେଳାଳୀଙ୍କୁ ପୋତ୍ସାହିତ ଓ ସମର୍ଥନ କରୁଛୁ ଯାହାଦ୍ୱାରା ୱେଷ୍ଟଇଣ୍ଡିଜ କ୍ରିକେଟର ଭବିଷ୍ୟତ ପୂର୍ବ ଠାରୁ ଆହୁରି ଉଜ୍ଜଳ ହୋଇପାରିବ ।
୩୮ ବର୍ଷୀୟ ବ୍ରାଭୋ ଦ୍ୱିତୀୟ ଥର ପାଇଁ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୦୧୮ରେ ମଧ୍ୟ ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କରିଥିଲେ ବ୍ରାଭୋ । କିନ୍ତୁ ୨୦୧୯ରେ ତାଙ୍କୁ ଟିମରେ ସୁଯୋଗ ମିଳିବା ପରେ ପୁଣିଥରେ ପଡିଆକୁ ଫେରିଥିଲେ ବ୍ରାଭୋ । ଏବେ ସୁଦ୍ଧା ବ୍ରାଭୋ ୱେଷ୍ଟଇଣ୍ଡିଜ ପାଇଁ ୨୯୪ଟି ମ୍ୟାଚ୍ ଖେଳି ୬୪୧୩ ରନ କରିଥିବା ବେଳେ ୩୬୩ଟି ୱିକେଟ ଅକ୍ତିଆର କରିଛନ୍ତି ।