ସରକାରୀ ହିସାବକୁ ନେଇ ଦୂତିଙ୍କ ଆପତ୍ତି: ଦୌଡରାଣୀଙ୍କ ପଛରେ ୪ କୋଟି ୯ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର; ଗଣମାଧ୍ୟମରେ ପ୍ରେସରିଲିଜ ପରେ, ଦୂତି କହିଲେ ଅପମାନିତ କରିଛନ୍ତି ସରକାର

1,207

କନକ ବ୍ୟୁରୋ: ଦୂତି ଚାନ୍ଦଙ୍କ ପାଇଁ ଓଡିଶା ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତାର ଏକ ହିସାବ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦୂତି । କହିଛନ୍ତି, ଏହା ତାଙ୍କୁ ଅପମାନ ଦେଉଛି । ସେ ବି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବୋଲି କହିଛନ୍ତି । ଗତକାଲି ଏକ ହିସାବରେ ଦେଖା ଯାଇଥିଲା ଓଡିସା ସରକାର ଦୂତି ଚାନ୍ଦଙ୍କ ପାଇଁ ୪ କୋଟି ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଧାବିକା ଦୁତି ଚାନ୍ଦଙ୍କୁ ଦେଇଥିବା ସହାୟତା ଅର୍ଥ ନେଇ ପ୍ରେସ ବିଜ୍ଞପ୍ତି ଜାରି କରିବା ପରେ ଦେଶରେ ଏଭଳି ପ୍ରଥମ ଥର ଘଟିଥିବା ଦୁଃଖର ସହିତ କହିଛନ୍ତି ଏହି ବିଶ୍ୱ ସ୍ତରୀୟ ଧାବିକା । ଏପରିକି ସରକାର ଜଣେ କ୍ରୀଡାବିଦଙ୍କୁ ସହାୟତା ଦେବା ତାଙ୍କ କର୍ତବ୍ୟ ଏବଂ ଦାୟିତ୍ୱ ବୋଲି ମଧ୍ୟ କହିଛନ୍ତି ଦୂତି । ଏହା ସହ କ୍ଷୁବ୍ଧ ହୋଇଛି କହିଛନ୍ତି, ସରକାରଙ୍କ ଅର୍ଥରେ ସେ ମଉଜ କରି ନାହାନ୍ତି ।
ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ଦୂତିଙ୍କୁ ୨୦୧୫ ପରଠାରୁ ମୋଟ ୪ କୋଟି ୯ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ଉଲ୍ଲେଖ କରାଯାଇଛି । ଏଥିରେ ଏସିଆନ୍ ଗେମ୍ ୨୦୧୮ ପରେ ଦିଆଯାଇଥିବା ପ୍ରୋତ୍ସାହନ ଅର୍ଥ, ୨୦୧୫-୧୯ ମଧ୍ୟରେ ଦିଆଯାଇଥିବା ପ୍ରଶିକ୍ଷଣ ଓ ସହାୟତା ଅର୍ଥ ଏବଂ ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି ସହାୟତା ଯୋଡା ଯାଇଛି । ଏହା ସହ ଓଏମସି ଠାରୁ ନିୟମିତ ଦରମା ଏବଂ ଅନ୍ୟ ସହାୟତା ମିଳୁଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।

ତେବେ ଦେଶର ଏକ ନମ୍ବର ଧାବିକା ଦୂତି ଚାନ୍ଦ ଏବେ ପ୍ରଶିକ୍ଷଣ ପାଇଁ ଆର୍ଥିକ ସଂକଟରେ ଅଛନ୍ତି । ଏଭଳି ଏକ ଚର୍ଚ୍ଚା ତାଙ୍କର ବିଏମଡବ୍ଲୁ କାର ବିକ୍ରି ପାଇଁ ଫେସ୍ବୁକ୍ରେ କରିଥିବା ପୋଷ୍ଟ ପରେ ଆରମ୍ଭ ହୋଇଥିଲା । କିନ୍ତୁ ବ୍ୟକ୍ତିଗତ ପୋଷ୍ଟକୁ ନେଇ ସୃଷ୍ଟି ହୋଇଥିବା ଏଭଳି ବିବାଦକୁ ନାପସନ୍ଦ କରିଛନ୍ତି ଦୂତି ଚାନ୍ଦ । ଓଡିଶା ସରକାର ତାଙ୍କୁ ଯଥେଷ୍ଟ ସହଯୋଗ ମଧ୍ୟ କରିଥିବା ନେଇ ସ୍ୱୀକାର କରିଛନ୍ତି ଦୂତି ।