ଦୂତିଙ୍କ ନାଁରେ ନାମିତ ହେବ ଆଥଲେଟିକ୍ ଟ୍ରାକ୍: ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ବଲିଉଡ଼ ଚଳଚ୍ଚିତ୍ର

248

କନକ ବ୍ୟୁରୋ: ନିକଟରେ ଶେଷ ହୋଇଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ତଥା କିଟ୍ ଛାତ୍ରୀ ଦୂତି ଚାନ୍ଦଙ୍କୁ ଗତକାଲି କିଟ୍ ଓ କିସ୍ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ନାପୋଲିରେ ଆୟୋଜିତ ବିଶ୍ବ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଦୂତି ୧୧.୩୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଫଳରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିବାରେ ଦୂ୍ତି ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। ଏହି ଅବସରରେ ଦୂତିଙ୍କ ନାମରେ ଏକ ଆଥଲେଟିକ ଟ୍ରାକ ନାମିତ ହେବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। କିଟ୍ ପରିସରରେ ନିର୍ମାଣାଧୀନ ଅଥଲେଟିକ୍ ଟ୍ରାକ୍ ସମ୍ପୂର୍ଣ୍ଣ ହେବା ପରେ ଏହା ତାଙ୍କ ନାମରେ ନାମିତ ହେବ। ଏଥିସହ ଭବିଷ୍ୟତରେ କିଟ୍ ଓ କିସ୍ ପକ୍ଷରୁ ପ୍ରତିଷ୍ଠା କରାଯିବାକୁ ଥିବା ଆଥଲେଟିକ୍ ଏକାଡେମିରେ ଦୂତିଙ୍କୁ ମୁଖ୍ୟ ଭାବେ ନିଯୁକ୍ତ କରାଯିବ ।

ତେବେ ବିଭିନ୍ନ କ୍ରୀଡ଼ା ତାରକାଙ୍କ ଜୀବନୀକୁ ନେଇ ବଲିଉଡ଼ରେ ବହୁ ହିଟ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ବେଳେ ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜୀବନୀକୁ ନେଇ ତିଆରି କରାଯିବ ଏକ ବଲିଉଡ଼୍ ଚଳଚ୍ଚିତ୍ର। ଯାହାର ଟାଇଟଲ୍ ଦୂତିଙ୍କ ନାମରେ ନାମକରଣ କରାଯିବ ବୋଲି ସୂଚନା ମଳିଛି। ଏମିତି ଏକ ବଡ଼ ନିଷ୍ପତି ନିଆଯାଇଛି କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ। ଗତକାଲି କିଟ୍ ପରିସରରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରିଡ଼ାରେ ୧୦୦ ମିଟର ସ୍ବର୍ଣ୍ଣ ବିଜୟିନୀ ଦୂତିଙ୍କୁ ନିଜ ମହାବିଦ୍ୟାଳୟ କିଟ୍ ପକ୍ଷରୁ ସମ୍ବର୍ଧନା ଦିଆଯାଉଥିବା ବେଳେ ଏହି କଥା ପ୍ରକାଶ କରିଛନ୍ତି କିଟ୍ ଓ କିସ୍’ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ। ଯାହାକୁ ନେଇ ଖୁସି ପ୍ରକାଶ କରିଥିବା ଦୂତି ନିଜକୁ ସୌଭାଗ୍ୟବତୀ ବୋଲି କହିଛନ୍ତି।

ଭାରତ ବର୍ଷରେ ରଗବି ଖେଳକୁ ନେଇ ୨୦୦୭ରେ ବିଶ୍ବ ବିଜେତା ହୋଇଥିବା କିସର ଛାତ୍ରଛାତ୍ରୀଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ଼୍ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାୟ’ ପରେ ଏବେ କିଟ୍ ଛାତ୍ରୀ ତଥା ଦେଶର ଦ୍ବିତୀୟ ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଉପରେ ଆଧାରିତ ହେବ ଆଉ ଏକ ବଲିଉଡ଼୍ ଚଳଚ୍ଚିତ୍ର। ଦୂତି କିଭଳି ୨୦୧୩ରେ କିଟ୍ ବିଶ୍ବବିଦ୍ୟାଳୟକୁ ପଢ଼ିବାପାଇଁ ଆସିଥିଲେ। ପରେ ସେଠାରେ ବିବିଏ-ଏଲଏଲବି ଅଧ୍ୟୟନ ସହ ନିଜ ଖେଳ ପାଇଁ ବିଶ୍ବବିଦ୍ୟାଳୟକୁ କିପରି ପ୍ରୋତ୍ସାହନ ପାଇଥିଲେ ତାହାନେଇ ଚଳଚ୍ଚିତ୍ରରେ ନିଖୁଣ ଛବି ପ୍ରଦର୍ଶନ କରାଯିବ। ଏନେଇ କିଟ୍ ପକ୍ଷରୁ ଏକ ଜାତୀୟ ଚଳଚ୍ଚିତ୍ର ନିର୍ମାତା ଦଳ ସହ ଆଲୋଚନା ହୋଇଛି। ଏହି ଚଳଚ୍ଚିତ୍ରରେ କିଟ୍ ଓ ଦୂତି ପରସ୍ପର କିପରି ପରିପୂରକ ତାହା ନେଇ ଛବି ଉତ୍ତୋଳନ କରାଯିବ। ଦୂତିଙ୍କ ପକ୍ଷରେ ଶ୍ରୀ ସାମନ୍ତଙ୍କ ପ୍ରୋତ୍ସାହନ ଓ ପ୍ରେରଣା ସହିତ ସହାୟତାର ହାତ ରହିଛି ତାହା ମଧ୍ୟ ପ୍ରଦର୍ଶନ କରାଯିବ। ଦୂତି, ଅଚ୍ୟୁତ ସାମନ୍ତ ଓ ଦୂତିଙ୍କ କୋଚ ନାଗପୁରୀ ରମେଶଙ୍କ ଚରିତ୍ରରେ ବଲିଉଡ଼୍ କଳାକାର ଅଭିନୟ କରୁଥିବା ବେଳେ ଓଡ଼ିଶାରେ ପ୍ରାୟ ୫୦ ଭାଗ ଛବି ଉତ୍ତୋଳନ କରାଯିବା ନେଇ ଆଲୋଚନା ହୋଇଇଛି।

ପୂର୍ବରୁ ବଲିଉଡ଼ରେ ‘ଭାଗ୍ ମିଲଖା ଭାଗ୍, ଦଙ୍ଗଲ, ମେରିକମ, ଚକ୍ଦେ ଇଣ୍ଡିଆ, ଏମ.ଏସ୍ ଧୋନି’ ଇତ୍ୟାଦି ବହୁ ସତ୍ୟ ଚରିତ୍ର ଉପରେ ଆଧାରିତ ଚଳଚ୍ଚିତ୍ର ହିଟ୍ ହୋଇଥିବା ବେଳେ ଦୂତିଙ୍କୁ ନେଇ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ମଧ୍ୟ ଦେଶରେ ନାମ କରିବ ବୋଲି ପ୍ରାୟୋଜକ ସଂସ୍ଥା ପ୍ରକାଶ କରିଛି। ଏହା ବ୍ୟତୀତ ଦୂତି ଚାନ୍ଦଙ୍କ ଜୀବନୀକୁ ନେଇ ଏକ ସ୍ବତନ୍ତ୍ର ପୁସ୍ତକ ପ୍ରକାଶ ପାଇବ ବୋଲି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି। ଯେଉଁଥିରେ ତାଙ୍କର ପିଲାଟି ଦିନରୁ ଗ୍ରାମାଞ୍ଚଳର ପରିଶ୍ରମ ଓ ଶିକ୍ଷା କଥା ରହିବ। ରାଜଧାନୀକୁ ଆସି କିଟ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ଓ ଖେଳ ଅଭ୍ୟାସ କରି ନିଜ ପାଇଁ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବା ନେଇ ବର୍ଣ୍ଣନା କରାଯିବ।