ସରକାରୀ ଜମି ମାଗିଲେ ଦୌଡରାଣୀ ଦୂତୀ ଚାନ୍ଦ । ସୋସିଆଲ ମିଡିଆରେ ପୋଷ୍ଟ କରି ସରକାରଙ୍କୁ ମନେ ପକାଇଦେଲେ ପ୍ରତିଶ୍ରୁତି, ଲେଖିଲେ…

921

କନକ ବ୍ୟୁରୋ : ସରକାରୀ ଜମି ମାଗିଲେ ଦୌଡରାଣୀ ଦୂତୀ ଚାନ୍ଦ । ସୋସିଆଲ ମିଡିଆରେ ପୋଷ୍ଟ କରି ସରକାରଙ୍କୁ ମନେ ପକାଇଦେଲେ ପ୍ରତିଶ୍ରୁତି । ଫେସବୁକରେ ଲେଖିଲେ ୨୦୧୬ରେ ଦେଇଥିବା କଥା ଏଯାଏଁ ରଖି ନାହାଁନ୍ତି ସରକାର । ସୋସିଆଲ ମିଡିଆରେ ଦୂତୀ କରିଥିବା ପୋଷ୍ଟ । ଓଡିଆରେ ଦୁଇ ଧାଡି ଲେଖିଛନ୍ତି । ଦେଇଥିବା ସବୁ ପ୍ରତିଶ୍ରୁତି ସ୍ମୃତି ହୋଇରହିଗଲା । ତା ସାଙ୍ଗକୁ ୨୦୧୬ରେ କ୍ରୀଡା ବିଭାଗ ତରଫରୁ ଦିଆଯାଇଥିବା ସୁପାରିଶ ପତ୍ର ମଧ୍ୟ ସେୟାର କରିଛନ୍ତି ଦୂତୀ ।

ବିଶ୍ୱ କ୍ରୀଡା ମାନଚିତ୍ରରେ ଓଡିଶାକୁ ସ୍ଥାପିତ କରିଥିବା ବଛା ବଛା କ୍ରୀଡାବିତଙ୍କୁ ସମ୍ନାନିତ କରିବା ସହ ରାଜାଧାନୀରେ ଜମି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର । ଏନେଇ କ୍ରୀଡା ବିଭାଗ ତରଫରୁ ଲିଖିତ ଆକାରରେ ଖେଳାଳିଙ୍କୁ ଏକ ସୁପାରିଶ ପତ୍ର ବି ଦିଆଯାଇଥିଲା । ଏ ଭିତରେ ୬ ବର୍ଷ ପୂରଣ ହୋଇ ଯାଇଛି । ପ୍ରତିଶ୍ରୁତି ପତ୍ର ରହିଛି ହେଲେ ଖେଳାଳୀଙ୍କୁ ଜମିଖଣ୍ଡେ ମିଳିନାହିଁ । ଅଧିକାଂଶ କ୍ରୀଡାବିତ୍ ରାଜ୍ୟ ସରକାରଙ୍କ ଏହି ଅଣଦେଖାକୁ ମୁଣ୍ଡପାତି ସହି ନେଇଥିଛନ୍ତି । ହେଲେ ଦୂତୀ କିନ୍ତୁ ଚୁପ ବସି ନାହାଁନ୍ତି ।

ସବୁବେଳେ ନିଜ ଗଣମାଧ୍ୟମ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହୁଥିବା ଦୂତୀ, ଏଥର ସୋସିଆଲ ମିଡିଆରେ ସେହି ସୁପାରିଶ ପତ୍ର ପୋଷ୍ଟ କରି ସରକାରଙ୍କୁ ସମାଲୋଚନା କରିଛନ୍ତି । ଦୂତୀ ସେୟାର କରିଥିବା ସୁପାରିସ ପତ୍ରଟି କ୍ରୀଡା ବିଭାଗର ଯୁଗ୍ମ ସଚିବ ପିକେ ସାହୁ ୧୧-୦୫-୨୦୧୬ରେ ସାଧାରଣ ପ୍ରଶାସନ ବିଭାଗ ଯୁଗ୍ମ ସଚିବଙ୍କ ପାଖକୁ ପଠାଇଥିବା ସ୍ପଷ୍ଟ ଜଣାପଡୁଛି । ପତ୍ରସଂଖ୍ୟା ୪୫୬୯ରେ ଶ୍ରୀ ସାହୁ ରାଜ୍ୟାପାଇଁ ଗର୍ବ ଓ ଗୌରବ ଆଣିଥିବା ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍, ଦୂତୀ ଚାନ୍ଦ ଜଉନା ମୁର୍ମୁ, ଅମିୟ ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କୁ ସେମାନଙ୍କ ସଫଳତା ଓ ପ୍ରଦର୍ଶନ ଆଧାରରେ ରାଜଧାନୀ ଭୁବନେଶ୍ୱରରେ ଘର କିମ୍ବା ବାସୋପଯୋଗୀ ଜମି ଯୋଗାଇ ଦେବାକୁ ସୁପାରିଶ କରିଛନ୍ତି । ହେଲେ ଏହି ସୁପାରିସ ପତ୍ର ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ଏପର୍ଯ୍ୟନ୍ତ ବି କୌଣସି ପଦକ୍ଷେପ ନେଇ ନଥିବା ଦୂତୀ ପରୋକ୍ଷରେ ଅଭିଯୋଗ କରିଛନ୍ତି ।