ଦୂତୀ ଚାନ୍ଦଙ୍କ ଦବଙ୍ଗଗିରି । ଡିଜେ ବଜାଇ ଭସାଣୀ ଶୋଭାଯାତ୍ରା କରୁଥିଲେ, ପୋଲିସ ପହଞ୍ଚିବାରୁ ନାଲିଆଖି ଦେଖାଇଲେ ।

2,202

କନକ ବ୍ୟୁରୋ : ଧାବିକା ଦୂତୀ ଚାନ୍ଦଙ୍କ ଦବଙ୍ଗଗିରି । ନିୟମ ମାନିଲେନି, ଓଲଟି ଗରମ ଦେଖାଇଲେ । କୋଭିଡ୍ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଂଘନ କଲେ ଦୂତି ଚାନ୍ଦ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନକୁ ବେଖାତିର କରି ଭସାଣି ଶୋଭାଯାତ୍ରା ଆୟୋଜନ କରିଥିଲେ ଧାବିକା ଦୂତୀ ଚାନ୍ଦ ।

ଖୁଦୁରୁକୁଣି ଭସାଣକୁ ନେଇ ପୁଲିସ ବନାମ ଦୂତୀ ଚାନ୍ଦ । କୋଭିଡ୍ ଗାଇଡଲାଇନକୁ ଉଲଂଘନ କରି ଭସାଣି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପୁଲିସ ଏହାକୁ ଅଟକାଇଥିଲା । ମିଳିଥିବା ସୂଚନା ଅନୁସାରେ, କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବିନା ଅନୁମତିରେ ଭସାଣି ଶୋଭାଯାତ୍ରା କରୁଥିଲେ । କେବଳ ଏତିକି ନୁହେଁ ଏପରିକି ଡିଜେ କଣ୍ଟେଷ୍ଟ ମଧ୍ୟ ଚାଲିଥିଲା । ଏହି ସମୟରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା କୁଆଖିଆ ପୋଲିସ । ପୋଲିସ ପହଞ୍ଚିବା ପରେ ଡିଜେ ବନ୍ଦ କରାଇଥିଲା ଏବଂ ସମସ୍ତଙ୍କୁ ଘରକୁ ଯିବା ପାଇଁ କହିଥିଲା ।

ହେଲେ ଏହାକୁ ନେଇ ତାତି ଉଠିଥିଲେ ଦୂତୀ ଚାନ୍ଦ । ପୁଲିସକୁ ନାଲିଆଖି ଦେଖାଇବା ସହ ଧମକ ମଧ୍ୟ ଦେଇଥିଲେ । ବ୍ୟାଚ୍ କାହିଁ, ଏସପିଙ୍କୁ କହିବେ ବୋଲି ପୁଲିସକୁ ଚେତାବନୀ ଦେଇଥିଲେ । କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବିନା ଅନୁମତିରେ ଡିଜେ ବଜାଇ ଖୁଦୁରୁକୁଣି ଭସାଣ ଚାଲିଥିଲା । ଏଥିରେ ପୁଲିସର ହସ୍ତକ୍ଷେପକୁ ସହି ପାରିନଥିଲେ ଦୂତୀ । ନିଜର କାର୍ଯ୍ୟଶୈଳୀ ପାଇଁ ସବୁବେଳେ ବିବାଦରେ ରହୁଥିବା ଏହି ଅଲିମ୍ପିଆନ୍ ପୁଣି ଥରେ କୋଭିଡ୍ ନିୟମ ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି ।