ଦୂତୀ ପାଇଲେ ଟୋକିଓ ଟିକେଟ୍ । ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସ ପାଇଁ ମନୋନିତ, ୧୦୦ ଓ ୨୦୦ ମିଟର ମହିଳା ଦୌଡ଼ରେ ଯୋଗ୍ୟତା ଅର୍ଜନ ।

176

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସ ପାଇଁ ଓଡିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ମିଳିଲା ଟିକେଟ୍ । ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ । ପଟିଆଲା ନାସନାଲ ଆଥଲେଟିକ୍ ଚାମ୍ପିଅନସିପର ପ୍ରଦର୍ଶନ ପରେ ୱାର୍ଲଡ଼ ର୍ୟାଙ୍କିଙ୍ଗ ଆଧାରରେ ଯୋଗ୍ୟତା ମିଳିଛି । ନିଜେ ଏନେଇ ଟୁଇଟ କରିଛନ୍ତି ସ୍ପ୍ରିଂଟର ଦୁତି ଚାନ୍ଦ ।

ଓଡିଶା ପାଇଁ ଖୁସି ଖବର । ଦୂତୀଙ୍କୁ ଟୋକିଓ ଟିକେଟ୍ । ଯେଉଁ ଖବର ପାଇଁ ରାଜ୍ୟବାସୀ ଅପେକ୍ଷା କରିଥିଲେ ସେହି ଖବର ଆସିଛି । ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଓଡିଆ ସ୍ପ୍ରିଂଟର ଦୂତୀ ଚାନ୍ଦ । ଆଗାମୀ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ସ୍ପ୍ରିଂଟର ଦୂତୀ ଚାନ୍ଦଙ୍କ ପାଇଁ ବାଟ ସଫା ହୋଇଯାଇଛି ।

– ମହିଳା ୧୦୦ ଓ ୨୦୦ ମିଟର ଦୌଡରେ ଯୋଗ୍ୟତା ଅର୍ଜନ
– ୱାର୍ଲଡ ର୍ୟାଙ୍କିଙ୍ଗ ଆଧାରରେ ଦୂତୀଙ୍କୁ ମିଳିଲା ଯୋଗ୍ୟତା
– କେବଳ ୱାର୍ଲଡ ଆଥଲେଟିକ୍ସର ନିମନ୍ତ୍ରଣକୁ ଅପେକ୍ଷା

ଏହି ଯୋଗ୍ୟତା ହାସଲ ନେଇ ନିଜେ ଟୁଇଟ୍ କରିଥିଲେ ଦୂତୀ ଚାନ୍ଦ । ୱାର୍ଲ୍ଡ ର୍ୟାଙ୍କିଙ୍ଗ କୋଟାରେ ତାଙ୍କୁ ଏହି ସୁଯୋଗ ମିଳିଛି । ୱାର୍ଲ୍ଡ ର୍ୟାଙ୍କିଙ୍ଗ ରୁଟରେ ୧୦୦ ମିଟର ଦୌଡରେ ୨୨ଟି ଓ ୨୦୦ ମିଟର ଦୌଡରେ ୧୫ଟି ସ୍ପଟ ରହିଥାଏ । ଦୂତୀ ଏବେ ଏହି କାଟାଗୋରୀରେ ଯୋଗ୍ୟତା ଅର୍ଜନ କରିଛନ୍ତି ।

– ପଟିଆଲା ଇଣ୍ଡିଆନ ଗ୍ରାଁ ପିରେ ଜାତୀୟ ରେକର୍ଡ କରିଥିଲେ ଦୂତୀ
– ୧୦୦ ମିଟରକୁ ୧୧.୧୭ ସେକେଣ୍ଡରେ ଦୌଡିଥିଲେ
– ଅଲିମ୍ପିକ୍ସ ଯୋଗ୍ୟତା ଟାଇମିଂ ୧୧.୧୫ ସେକେଣ୍ଡ
– ୦.୦୨ ସେକେଣ୍ଡ ପାଇଁ ବଂଚିତ ହୋଇଥିଲେ ଅଲିମ୍ପିକ୍ସ ଯୋଗ୍ୟତାରୁ

ଅଲିମ୍ପିକ୍ସ ଯୋଗ୍ୟତାର ୧୦୦ ମିଟର ଦୌଡରେ ଦୂତୀଙ୍କ ର୍ୟାଙ୍କ ବିଶ୍ୱରେ ୪୪ ଓ ୨୦୦ ମିଟର ଦୌଡରେ ୫୧ ରହିଛି । ଏହାକୁ ଆଧାର କରି ଏବେ ଟୋକିଓ ଟିକେଟ ହାସଲ କରିବା ରାସ୍ତା ସଫା ହୋଇଯାଇଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । ସଫଳତା ପାଇଁ ସେ ରାଜ୍ୟ ସରକାର ଏବଂ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ପ୍ରଥମେ ଯୋଗ୍ୟତା ଅର୍ଜନ କରି ଦେଶରେ ଚର୍ଚ୍ଚାକୁ ଆସିଥିଲେ ଦୂତୀ । ସେତେବେଳେ କେବଳ ହିଟସରେ ହିଁ ସୀମିତ ରହିଯାଇଥିଲେ ଏଥର ଅଧିକ ଭଲ ପ୍ରଦର୍ଶନ ସହିତ ଦୂତୀ ଅଲିମ୍ପିକରେ ଦେଶ ପାଇଁ ପଦକ ଆଣିବେ ବୋଲି ଆଶା ରହିଛି ।