କନକ ବ୍ୟୁରୋ : ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଶକ୍ତ ଝଟକା । ଡୋପ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଦୂତୀ ଚାନ୍ଦ । ଚଳିତ ବର୍ଷ ଜାନୁୟାରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ ହେବ । ଜାନୁୟାରୀ ୩ ତାରିଖରୁ ଦୂତୀ ଯେଉଁ ଇଭେଣ୍ଟଗୁଡିକରେ ଅଂଶ ଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡିକୁ ଅଯୋଗ୍ୟ ଘୋଷଣା କରାଯିବ । ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ଅଧ୍ୟକ୍ଷ ଗୁରୁବାର ଏହି ସୂଚନା ଦେଇଛନ୍ତି । ତଥାପି ଏହି ଦଣ୍ଡ ବିରୋଧରେ ଆଂଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ଆଗରେ ନିଜର ପକ୍ଷ ରଖିବାକୁ ଦୂତି ଚାନ୍ଦଙ୍କୁ ୨୧ ଦିନର ସମୟ ଦିଆଯାଇଛି ।

Advertisment

ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତୀ ନିଷିଦ୍ଧ ଔଷଧ ସେବନକୁ ସ୍ବୀକାର କରିଥିଲେ କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିନଥିଲେ । ତାଙ୍କ ଫିଜିଓଥେରାପିଷ୍ଟଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲା ବେଳେ ତାହାର ଲେଭଲ୍‌କୁ ଯାଞ୍ଚ କରିନଥିଲେ । ଏଥି ସହିତ ତାହାକୁ ୱାଡା ଦ୍ବାରା ଜାରି ହୋଇଥିବା ନିଷିଦ୍ଧ ଔଷଧ ତାଲିକା ସହ ନମିଳାଇ ସେବନ କରିଥିବା ପ୍ୟାନେଲ୍‌ ଜାଣିବାକୁ ପାଇଥିଲା । ଏହା ଫଳରେ ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସିର ଧାରା ୨.୧ ଓ ୨.୨ କୁ ଉଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା ।

ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ସୂଚନା ଦିଆଯାଇଛି ।  ଦୂତୀଙ୍କୁ ଗତବର୍ଷ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର ଡୋପ୍‌ ନିୟନ୍ତ୍ରକ ଅଧିକାରୀଙ୍କ ଦ୍ବାରା ଭୁବନେଶ୍ବରରେ ଦୁଇଥର ପରୀକ୍ଷା କରାଯାଇଛି । ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍‌, ଓଷ୍ଟାରିନ୍‌ ଓ ଲିଗାଣ୍ଡ୍ରୋଲ୍‌ ଆସିଥିଲା ବେଳେ ଦ୍ବିତୀୟ ନମୁନାରେ ଆଣ୍ଡାରିନ୍‌ ଓ ଓଷ୍ଟାରିନ୍‌ ଥିବା ସ୍ପଷ୍ଟ ହୋଇଥିଲା ।