ୱେବ୍ ପୋର୍ଟାଲ ବିରୋଧରେ ଏଫଆଇଆର ଦେଲେ ଦୂତୀ ଚାନ୍ଦ । ପ୍ରେସ୍ କନଫେରେନ୍ସ ଡାକି ଜଣାଇଲେ ଅଭିଯୋଗ । ୱେବ ପୋର୍ଟାଲ ଏଡିଟରଙ୍କ ପ୍ରଶ୍ନ ଦୂତୀ କିଏ?

765

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକରେ ଯେତେବେଳେ ଟ୍ରାକରେ ଦୌଡିବା ପାଇଁ ଦୂତୀ ପ୍ରସ୍ତୁତ ହେଉଥିଲେ, ସେତେବେଳେ ତାଙ୍କ ସମ୍ପର୍କରେ ଏକ ୱେବ୍ ପୋର୍ଟାଲ ପ୍ରକାଶ କରୁଥିବା ଖବର ବାରମ୍ବାର ତାଙ୍କୁ ବିଚଳିତ କରୁଥିଲା । ଏକ ପ୍ରେସ୍ କନଫରେନ୍ସ ଡାକି ଏଭଳି ଅଭିଯୋଗ ଆଣିଛନ୍ତି ଦୂତୀ ଚାନ୍ଦ । ସମ୍ପୃକ୍ତ ୱେବ୍ ପୋର୍ଟାଲ ସେ ସମୟରେ ଖବର ପ୍ରକାଶ କରୁଥିଲା ଯେ ଦୂତୀଙ୍କୁ ତାଙ୍କ ବାପା, ମା ନିନ୍ଦା କରୁଛନ୍ତି ଏବଂ ଏକ ଝିଅର ଦାୟିତ୍ୱ ନିର୍ବାହ କରୁନାହାନ୍ତି ଦୂତୀ । ଦୂତୀଙ୍କ ବିଷୟରେ ଅଶାଳୀନ କଥା ବି ସେହି ୱେବ୍ ପୋର୍ଟାଲ ପ୍ରକାଶ କରିଥିବା ଦୂତୀ ଅଭିଯୋଗ ଆଣିଛନ୍ତି ।

ଭୁବନେଶ୍ୱର ମହିଳା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଦୂତୀ ଚାନ୍ଦ । ତେବେ ଅଭିଯୋଗ ଆସିଥିବା ସେହି ୱେବ୍ ପୋର୍ଟାଲଟିର ନାଁ ହେଉଛି ଫୋକସ୍ ପ୍ଲସ । ଯାହାର ଏଡିଟର ହେଉଛନ୍ତି ସୁଧାଂଶୁ ରାଉତ । ସୁଧାଂଶୁଙ୍କ ବିରୋଧରେ ଆଇପିସିର ୩୫୪-ଏ ଅର୍ଥାତ୍ ଯୌନ ନିର୍ଯାତନା, ଆଇପିସିର ଧାରା ୫୦୬ ଅର୍ଥାତ ଅପରାଧିକ ଧମକ, ଆଇପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଧାରା ୩୮୫ ଅର୍ଥାତ୍ ଭୟଭୀତ କରି ବଟି ଆଦାୟ କରିବା, ଧାରା ୫୦୯ ଅର୍ଥାତ୍ ଜଣେ ମହିଳାଙ୍କ ଇଜ୍ଜତ୍ ଉପରେ ଆଞ୍ଚ ଆଣିବା ପରି କାର୍ଯ୍ୟ କରିବା ଭଳି ଧାରାରେ ମାମଲା ରୁଜୁ କରିଛି ପୋଲିସ । ତେବେ ଦୂତୀଙ୍କ ଅଭିଯୋଗ ଉପରେ ଆମେ ଯେତେବେଳେ ଫୋକସ୍ ପ୍ଲସର ଏଡିଟରଙ୍କ ପ୍ରତିକ୍ରିୟା ନେଇଥିଲୁ, ସେ ଆଗ ପ୍ରଶ୍ନ କରିଥିଲେ ଦୂତୀ ଚାନ୍ଦ କିଏ? କାହିଁକି ଗଣମାଧ୍ୟମ ତାଙ୍କୁ ଏତେ ଗୁରୁତ୍ୱ ଦେଉଛି ।  ତେବେ ଏବେ ମାମଲା ମହିଳା ଥାନାରେ ଅଛି । ଦେଖିବାର କଥା ହେଉଛି ଏହି ମାମଲା ଆଗକୁ କଣ ହେଉଛି ।