ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ଦୌଡରାଣୀ ଦୂତି ଚାନ୍ଦ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲେ ୫୦ ହଜାର ଟଙ୍କା ।

237

କନକ ବ୍ୟୁରୋ : ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଓଡିଆ ଦୌଡରାଣୀ ଦୂତି ଚାନ୍ଦ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଦୂତି । ଅର୍ଥରାଶି ଦେବା ପରେ ନିଜ ଫେସବୁକ ଆଇଡିରେ ସେୟାର କରି ସମସ୍ତଙ୍କୁ ସାହାଯ୍ୟ ପାଇଁ ମଧ୍ୟ ନିବେଦନ କରିଛନ୍ତି ଦୂତି । ରାଜ୍ୟକୁ ପୁଣି ଥରେ ନୂତନ ଭାବେ ଗଢି ତୋଳିବାକୁ ପ୍ରୟାସ କରିବା ପାଇଁ ସମସ୍ତଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ଦୂତି ।

ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ସବୁକିଛି ଛାରଖାର କରି ଚାଲିଯିବା ପରେ ଭୁଷୁଡି ପଡିଥିବା ଉପକୂଳ ଓଡିଶାକୁ ପୁଣି ଥରେ ଗଢିତୋଳିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟ ମଧ୍ୟ ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଆଉ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।