ଜନପଥ ଦୋକାନୀଙ୍କୁ ନିର୍ଦ୍ଦେଶ : ଡଷ୍ଟବିନ୍‌ ନ ରଖିଲେ ସିଲ୍‌ ହେବ ଦୋକାନ

69

କନକ ବ୍ୟୁରୋ : ସ୍ମାର୍ଟ ଜନପଥରେ ଥିବା କିଓସ୍କଗୁଡ଼ିକ ଏଥର ଦୁଇଟି ଡଷ୍ଟବିନ୍‌ ରଖିବେ । ଗୋଟିଏରେ ଓଦା ଓ ଗୋଟିଏରେ ଶୁଖିଲା ଆବର୍ଜନା ସଂଗ୍ରହ କରିବେ । ଏଭଳି ନ କଲେ ମାଲିକଙ୍କ ଠାରୁ ମୋଟା ଅଙ୍କର ଜରିମାନା ସଂଗ୍ରହ କରାଯିବା ସହ କିଓସ୍କ ସିଲ୍‌ କରି ଦିଆଯିବ ବୋଲି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଚେତାଇ ଦେଇଛି ।

ଏ ନେଇ ଆଜି ସମସ୍ତ ଦୋକାନୀଙ୍କୁ ନୋଟିସ୍‌ କରାଯାଇଛି । କେବଳ ଡଷ୍ଟବିନ୍‌ ନୁହେଁ, କିଓସ୍କ ସୀମା ବାହାରେ ସାମଗ୍ରୀ ଗଦା କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ବିଏସ୍‌ସିଏଲ୍‌ ଏବେ ସ୍ମାର୍ଟ ଜନପଥ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଲାଗିପଡ଼ିଛି। ସ୍ବତନ୍ତ୍ର ଦଳ ସହ ଖୋଦ୍‌ ସିଇଓ ସଞ୍ଜୟ ସିଂହ ଲଗାତାର ଚଢ଼ଉ କରୁଛନ୍ତି। ଆବର୍ଜନା ଏଣେ ତେଣେ ପଡ଼ିବା ସହ ଦୋକାନୀ ଦୋକାନ ଆଗରେ ପସରା ମେଲାଉଛନ୍ତି ।

ବେଆଇନ ଭାବରେ ଦୋକାନ ଆଗରେ ଗାଡ଼ି ପାର୍କିଂ ହେବା ସହ ସନ୍ଧ୍ୟା ହେଲେ ଖଟି ଜମୁଛି । ବିଶେଷକରି ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା ବହି ବଜାରରେ ଦୋକାନ ଠାରୁ ଅନେକ ଦୂର ପର୍ଯ୍ୟନ୍ତ ପସରା ମେଲିବା ସହ ବେଆଇନ ପାର୍କିଂ ହେଉଥିବା ଅଭିଯୋଗ ହୋଇଛି। ସେହିଭଳି ବାପୁଜୀନଗରରେ ମଧ୍ୟ ବଡ଼ ବଡ଼ ବ୍ୟବସାୟୀ ଜନପଥରେ ପସରାର ମେଲାଇବା ସହ ପାର୍କିଂ କରୁଛନ୍ତି । ପବ୍ଲିକ୍‌ ପ୍ଲାଜାକୁ ମଧ୍ୟ ବ୍ୟବସାୟୀ ଛାଡ଼ୁ ନାହାନ୍ତି । ପସରା ମେଲାଇବା ସହ ପାର୍କିଂ କରୁଛନ୍ତି ।

ଚଢ଼ଉ ହେବା ପରେ ପରେ ପୁଣି ପୂର୍ବାବସ୍ଥାକୁ ଫେରିଆସୁଛି । ସେହିଭଳି ରାଜମହଲରେ ଏକାଧିକ ଫଳ ଦୋକାନୀ ରାସ୍ତା ପର୍ଯ୍ୟନ୍ତ ପସରା ମେଲାଉଛନ୍ତି । ଗ୍ରାହକ ଗାଡ଼ି ପାର୍କିଂ କରି ଫଳ କିଣିବା ବେଳେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଡଷ୍ଟବିନ୍‌ ରଖୁନଥିବାରୁ ଜନପଥ ଆବର୍ଜନା ମୟ ହୋଇପଡ଼ୁଛି। ଏସବୁ ଅଭିଯୋଗକୁ ଆଧାର କରି ବିଏସ୍‌ସିଏଲ୍‌ ବ୍ୟାପକ ଚଢ଼ଉ କରିବ‌େ ବୋଲି ଜଣାପଡ଼ିଛି ।